ଲାଞ୍ଚୁଆ ଏଏସଆଇଙ୍କୁ ଧରିଲା ଭିଜିଲାନ୍ସ : ୧୫ଶହ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଏଏସଆଇ; ୫ ବର୍ଷରେ ଧଉଳି ଥାନାର ୩ ଧରାପଡ଼ିଲେଣି 

126

କନକ ବ୍ୟୁରୋ : ଲାଂଚ ନେଇ ଫସିଲେ ପୋଲିସ ବାବୁ । ଏକ ଜମିଜମା ମାମଲାକୁ ରଫାଦଫା ପାଇଁ ୧୫ଶହ ଟଙ୍କା ନେଇ ଗିରଫ ହେଲେ ଧଉଳି ଥାନା ଏଏସ୍ଆଇ ତୋଫାନ ଗୁରୁ । ଏଏସ୍ଆଇଙ୍କଠାରୁ ଜବତ ହୋଇଛି ୧୫୦୦ ଟଙ୍କା । ଜମି ବିବାଦକୁ ନେଇ ଏକ ମାମଲାର ଆପୋଷ ସମାଧାନ ପାଇଁ  ପ୍ରସନ୍ନ ସାହୁଙ୍କ ଠାରୁ  ୪ ହଜାର ଟଙ୍କା ନେଇଥିଲେ । ପରେ ଏଏସଆଇ ଫୋନ କରି ଅଧିକ ଅର୍ଥଦାବି କରିଥିଲେ । ଏନେଇ ପ୍ରସନ୍ନ ଭିଜିଲାନ୍ସ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଯୋଜନାବଦ୍ଧ ଭାବେ ଏହି ପୋଲିସ ଅଧିକାରୀଙ୍କୁ ଟଙ୍କା ନେବା ବେଳେ ଗିରଫ କରାଯାଇଥିଲା । ଗିରଫ ପରେ ଏଏସ୍ଆଇ ତୋଫାନ ଗୁରୁ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

୫ ବର୍ଷରେ ଧଉଳି ଥାନାର ୩ ଜଣ ଅଫିସର ଧରାପଡ଼ିଲେଣି । ଜଣେ ଅଭିଯୁକ୍ତକୁ ଏକ ମାମଲାରେ ଗିରଫ ନ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ୨୦୧୫ ମେ ୨୧ ତାରିଖରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ଧଉଳି ଥାନାର ତତ୍କାଳୀନ ଆଇଆଇସି ଦେବୀ ପ୍ରସାଦ ଦାସ । ଦେବୀପ୍ରସାଦ ଏବେ କ୍ରାଇମବ୍ରାଞ୍ଚରେ ଥିବା ବେଳେ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି । ୨୦୧୯ ଫେବ୍ରୁଆରୀ ୧୧ ତାରିଖରେ ଲାଞ୍ଚ ମାମଲାରେ ସବଇନ୍ସପେକ୍ଟର ପ୍ରଦୀପ ମହଲାଙ୍କୁ ଗିରଫ କରିଥିବା ଭିଜିଲାନ୍ସ । ଏକ ମାମଲା ରଫାଦଫା କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା । ଇନ୍ସପେକ୍ଟର, ସବ୍ଇନ୍ସପେକ୍ଟରଙ୍କ ପରେ ଏବେ ଏଏସ୍ଆଇ ତୋଫାନ ଗୁରୁ ଧରାପଡ଼ିଛନ୍ତି ।