ରାଜନୀତି ପାଇଁ ଯୁବକ ଲୋଡା ! ଉତ୍କଳ ଦିବସରେ ବିଜେଡିକୁ ଟକ୍କର ଦେବା ପାଇଁ ଧର୍ମେନ୍ଦ୍ର ଖେଳିଲେ ସଂକଳ୍ପ କାର୍ଡ

24

କନକ ବ୍ୟୁରୋ : ଯୁବ ଗୋଷ୍ଠୀଙ୍କୁ ନେଇ ବିଜେଡି-ବିଜେପି ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଦ୍ୱନ୍ଦିତା । କିଏ ଯୁବ ପିଢ଼ୀକୁ ନିଜ ହାତମୁଠାକୁ ନେଇପାରିବ ସେଥିପାଇଁ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ରଣନୀତି । ଉଭୟ ଦଳ ଗଠନ କରିଛନ୍ତି ଯୁବ ବାହିନୀ । କୁହାଯାଉଛି ରାଜ୍ୟ ସରକାରଙ୍କ ବିଜୁ ଯୁବ ବାହିନୀକୁ କାଉଣ୍ଟର କରିବାକୁ ବିଜେପି ମଧ୍ୟ ଅନୁରୂପ ରଣନୀତି ଆପଣେଇଛି । ଆଜି ହଜାର ହଜାର ଯୁବକଙ୍କୁ ଶପଥ କରାଇଛି ଦଳ ।

ବିଜେଡି-ବିଜେପି ରାଜନୈତିକ ପ୍ରତିଦ୍ୱନ୍ଦିତା ଭିତରେ ଓଡ଼ିଶାର ଦୁଇ ରାଜନୈତିକ ପ୍ରତିଦ୍ୱନ୍ଦୀ, ଯୁବ ଗୋଷ୍ଠିଙ୍କୁ ନିଜ ହାତ ମୁଠାକୁ ନେବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ବିଜେଡିର ରଣନୀତିକୁ ଟକ୍କର ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଖେଳିଛନ୍ତି ସଂକଳ୍ପ କାର୍ଡ ।ଉତ୍କଳ ଦିବସ ଅବସରରେ ସଂକଳ୍ପ ସମାବେଶର ଆୟୋଜନ କରିଛନ୍ତି । ଯେଉଁଥିରେ ନୂଆ ଓଡ଼ିଶା ଗଠନ ପାଇଁ ୧୦ ହଜାର ଯୁବକ କୋଣାର୍କରେ ସଂକଳ୍ପ ନେଇଛନ୍ତି ।

କୁହାଯାଉଛି,ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ବିଜୁ ଯୁବ ବାହିନୀ ଯୋଜନାଙ୍କୁ କାଉଂନଟର କରିବା ପାଇଁ ବିଜେପି ଯୁବ ଗୋଷ୍ଠୀକୁ ସଂଗଠିତ କରୁଛି । ଚଳିତ ବର୍ଷର ବଜେଟରେ ରାଜ୍ୟ ସରକାର ବିଜୁ ଯୁବ ଶସକ୍ତିକରଣ ଯୋଜନା ଓ ବିଜୁ ଯୁବ ଯୁବବାହନୀ ଉପ-ଯୋଜନା ପାଇଁ ୧୦୩ କୋଟି ବ୍ୟୟ ବରାଦ କରିଛନ୍ତି । ଯେଉଁଥିରେ ରାଜ୍ୟର ବିଭିନ୍ନ ବିକାଶ ଯୋଜନାରେ ଯୁବକମାନେ ସ୍ୱେଚ୍ଛାସେବୀ ଭାବରେ କାମ କରିବେ । ଆଉ ଏପଟେ ବିଜେପି ନୂଆ ଓଡ଼ିଶାର ସ୍ୱପ୍ନ ଦେଖାଇ ଯୁବକଙ୍କୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରିଛି ।

ବିଜେପି ଏହି ସଂକଳ୍ପ ସମାବେଶକୁ ରାଜନୀତିର ବହୁ ଉଦ୍ଧ୍ୱର୍ରେ ଥିବା ଦାବି କରୁଥିବା ବେଳେ ବିଜେଡି ବିଜେଡି କହୁଛି- ରାଜ୍ୟ ସରକାରଙ୍କ ଜନହିତକାରୀ କାର୍ଯ୍ୟକ୍ରମରେ ବିଜେପି ଭୟଭୀତ । ନିର୍ବାଚନ ହେଉ କିମ୍ବା ସଂଗଠନ, ଯୁବଗୋଷ୍ଠୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଉଭୟ ବିଜେଡି ଓ ବିଜେପି, ଯୁବ ବାହିନୀକୁ ମଜବୁତ କରିବାରେ ଲାଗି ପଡ଼ିଛନ୍ତି ।