କନକ ବ୍ୟୁରୋ: ପଦ୍ମପୁରରେ ଆଇଟି ଓ ଜିଏସଟି ବିଭାଗର ରେଡକୁ ନେଇ ହାଇଡ୍ରାମା ପରେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧାମନଗର ଉପ ନିର୍ବାଚନ ସମୟରେ ଯେମିତି ଧର୍ମେନ୍ଦ୍ରଙ୍କୁ ଆକ୍ରମଣାତ୍ମକ ରୂପରେ ଦେଖିବାକୁ ମିଳିଥିଲା, ପଦ୍ମପୁରରେ ତାଠୁ ଅଧିକ ଆକ୍ରମଣାତ୍ମକ ରୂପରେ ଦେଖିବାକୁ ମିଳିଛି । ପଦ୍ମପୁରର ଜନସଭାରୁ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିବା ସହ ପ୍ରଦୀପ ପୁରୋହିତଙ୍କୁ ଢ଼େର ପ୍ରଶଂସା କରିଛନ୍ତି । ଆଉ ଆନ୍ଦୋଳନରୁ ଜନ୍ମ ନେଇଥିବା ନେତା ବୋଲି କହିଛନ୍ତି । ସେହିପରି ଦାଦନ, ମଣ୍ଡି ସମସ୍ୟା, ଏମଏସପି ବୃଦ୍ଧି ପ୍ରସଙ୍ଗ, ରୁଣ ଭାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ଧର୍ମେନ୍ଦ୍ରଙ୍କ ଅଭିଯୋଗ ପରେ ବିଜେଡି କାଉଣ୍ଟର କରିବା ସହ ପାଲଟା ପ୍ରଶ୍ନ କରିଛି ଓ ଚ୍ୟାଲେଞ୍ଜ ଦେଇଛି  ।

Advertisment
  • ପଦ୍ମପୁରରେ ଧର୍ମେନ୍ଦ୍ରଙ୍କ ପାୱାର ଶୋ 
  • ଜନସଭାରୁ ଜୋରଦାର ଟାର୍ଗେଟ 

ସୋମବାର ପଦ୍ମପୁରରେ ହାଇଡ୍ରାମା ପରେ, ମଙ୍ଗଳବାର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଦ୍ମପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ରୋଡ ଶୋ ଏବଂ ପଦଯାତ୍ରା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଜନସଭା କରି ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ପଦ୍ମପୁର ମାଟିରୁ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ସେ କହିଛନ୍ତି, ନବୀନ ବାବୁ ସୁନା ଚାମଚ ଧରି ଜନ୍ମ ହେଇଛନ୍ତି । କିନ୍ତୁ ଆନ୍ଦୋଳନ ଭିତରୁ ଜନ୍ମ ନେଇଛନ୍ତି ପ୍ରଦୀପ ପୁରୋହିତ । ତାଙ୍କୁ ଏତେ ଡର କାହିଁକି ? ବିଜେଡି ସରକାର ୨୨ ବର୍ଷରେ ଯାହା କରିଥିଲେ । ଏଇ ୧୮ ମାସରେ କଳବଳ କୌଶଳ ପଇସା ଲଗେଇ ନିର୍ବାଚନ ଲଢ଼େଇ କରିବାକୁ ଆସିଛନ୍ତି ।

ଉପ ନିର୍ବାଚନରେ ଚାଷୀ ସମସ୍ୟା ପ୍ରମୁଖ ପ୍ରସଙ୍ଗ ପାଲଟିଥିବାବେଳେ ଧର୍ମେନ୍ଦ୍ର ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଦୋଷ ଦେଇଛନ୍ତିି । ଧାନ ମଣ୍ଡି ଅବ୍ୟବସ୍ଥା କଥା ଉଠାଇ ବର୍ଷର୍ିଛନ୍ତି । କହିଛନ୍ତି, ମିଲର ସହ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକାର ଜବାବ ଦେବେ ପଦ୍ମପୁରବାସୀ । ସେହିପରି ଦାଦନ ପ୍ରସଙ୍ଗ ଉଠାଇ ବର୍ଷିଛନ୍ତିି ଧର୍ମେନ୍ଦ୍ର । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍ଗ ମଧ୍ୟ ଟାର୍ଗେଟ କରି କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗ ପଛେ ଉବୁଟୁବୁ ହେଉ କିନ୍ତୁ ମନ୍ତ୍ରୀ ତାଙ୍କ କାନ୍ଧରେ ଟଙ୍କା ମୁଣି ପକାଇ ପଦ୍ମପୁରରେ ଡେରା ପକାଇଛନ୍ତି । ଜବାବ ରଖି ଧର୍ମେନ୍ଦ୍ରଙ୍କ ଉପରେ ପାଲଟା ବର୍ଷିଛି ବିଜେଡି ।

ଧର୍ମେନ୍ଦ୍ର ପ୍ରଧାନ ପ୍ରଦୀପ ପୁରୋହିତଙ୍କ ସହ ରୋଡ ଶୋ କରୁଥିବାବେଳେ ଦେଖିବାକୁ ମିଳିଥିଲା ଏକ ଭାବବିହ୍ୱଳ କଲା ଭଳି ଦୃଶ୍ୟ । ଧର୍ମେନ୍ଦ୍ରଙ୍କ ସହ ଯିବାବେଳେ ହଜାର ହଜାର ଲୋକଙ୍କ ଆଗରେ ଭୋ ଭୋ କାନ୍ଦିଥିଲେ ପ୍ରଦୀପ ପୁରୋହିତ । ତା ପରେ ଜନସଭାରେ ପ୍ରଦୀପ ପୁରୋହିତଙ୍କୁ ଢ଼େର ପ୍ରଶଂସା କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଆଉ ତାଙ୍କ ପାଇଁ ଭୋଟ ମାଗିଥିଲେ । ଏସବୁ ଭିତରେ କିନ୍ତୁ ବିଜେଡି ପ୍ରାର୍ଥୀ ବର୍ଷା ବିଜୟୀ ହେବେ ବୋଲି ଦୃଢ଼ୋକ୍ତି ଦେଖାଇବା ସହ ଧର୍ମେନ୍ଦ୍ରଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି ବିଜେଡି ବିଧାୟକ ସୁଶାନ୍ତ ସିଂ ।

ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁର ନିର୍ବାଚନମଣ୍ଡଳୀରେ ତିନି ଦିନ ଧରି ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଆଗକୁ ଏହି ପ୍ରଚାର ଆହୁରି ସରଗରମ ହେବ ବୋଲି ଚର୍ଚ୍ଚା ହେଉଛି ।