ପ୍ରଚାର ମୈଦାନରେ ଦୁଇ ହେଭିୱେଟ୍ । କୁଚିଣ୍ଡାରେ ଧର୍ମେନ୍ଦ୍ରଙ୍କ ପାୱାର ସୋ । ଆଠମଲ୍ଲିକରେ ପ୍ରଣବଙ୍କ ଶକ୍ତି ପ୍ରଦର୍ଶନ

416

କନକ ବ୍ୟୁରୋ: ଗତକାଲି ରାଜ୍ୟର ବିକାଶକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ, ଜାତୀୟ ରାଜପଥକୁ ନେଇ ପ୍ରଣବଙ୍କ ଟୁଇଟ୍ ଓ ବିଜେପି ନେତାଙ୍କ ପାଲଟା ପ୍ରଶ୍ନ ପରେ ଆଜି ପୁଣି ଥରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଦୁଇ ହେଭିୱେଟ୍ । ସ୍ଥାନୀୟ ବିଧାୟକ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଦୁଇ ନେତା ନିଜ ନିଜର ଶକ୍ତି ଦେଖାଇଛନ୍ତି ।

  • କୁଚିଣ୍ଡାରେ ଧର୍ମେନ୍ଦ୍ରଙ୍କ ପାୱାର ସୋ
  • ଆଠମଲ୍ଲିକରେ ପ୍ରଣବଙ୍କ ଶକ୍ତି ପ୍ରଦର୍ଶନ

ପ୍ରବଳ ଖରା ସତ୍ତ୍ୱେ ମାରାଥନ ପ୍ରଚାର ଚଳାଇଛନ୍ତି ଉଭୟ ବିଜେପି ଓ ବିଜେଡି ପ୍ରାର୍ଥୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଚିଣ୍ଡାରେ ବିଶାଳ ବାଇକ୍ ଶୋଭାଯାତ୍ରା କରି ଦମ ଦେଖାଇଛନ୍ତି । ପ୍ରଥମେ ବନ୍ଧୁବାସପଡା ହନୁମାନ ମନ୍ଦିର ଯାଇ ମହାବୀରଙ୍କ ଦର୍ଶନ କରିବା ପରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତାଙ୍କ ସହ ପ୍ରଚାରରେ ସାମିଲ ହୋଇଛନ୍ତି ବିଜେପିର କୁଚିଣ୍ଡା ବିଧାନସଭା ପ୍ରାର୍ଥୀ ରବି ନାଏକ ।

ଅନ୍ୟପଟେ ବିଜେଡି ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ପ୍ରଚାରକୁ ଜୋରଦାର କରିଛନ୍ତି । ଆଠମଲ୍ଳିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପହଞ୍ଚି ମା’ ସାହେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ପ୍ରଚାର କରିଛନ୍ତି । ସାଙ୍ଗରେ ଆଠମଲ୍ଳିକ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କୁ ଧରି ଭୋଟ ମାଗିଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଆଗେଇ ନେବା ପାଇଁ ଅଣ୍ଟା ଭିଡିଛନ୍ତି ପ୍ରଣବ ।

ମଙ୍ଗଳବାର ରାଜ୍ୟର ବିକାଶକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାର କିଛି ସମୟ ପରେ ଟୁଇଟ୍ କରି ଜାତୀୟ ରାଜପଥ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ ପ୍ରଣବ । ବିଜେପି ନେତା ପୁଣି ପାଲଟା ପ୍ରଶ୍ନ କରିଥିଲେ । ବିଜେପି ଓ ବିଜେଡି ନେତାଙ୍କ ଟୁଇଟ୍ ୱାର୍ ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି ।