୨ ଦିନିଆ ୟୁଏଇ ଗସ୍ତରେ ଭିତୋଲ ଗ୍ରୁପର ମୁଖ୍ୟ ଓ ଓପେକର ସାଧାରଣ ସଚିବଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ପୁଞ୍ଜିନିବେଶ କରି ଭାରତର ବିକାଶ ଯାତ୍ରାରେ ସାମିଲ ହେବାକୁ କଲେ ନିମନ୍ତ୍ରଣ ।

148

କନକ ବ୍ୟୁରୋ : ଦୁଇ ଦିନିଆ ୟୁଏଇ ଗସ୍ତରେ ଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ପୁଞ୍ଜିନିବେଶ କରି ଭାରତର ବିକାଶ ଯାତ୍ରାରେ ସାମିଲ ହେବାକୁ ଭିତୋଲ ଗ୍ରୁପ କମ୍ପାନିକୁ ନିମନ୍ତ୍ରଣ କରିଛନ୍ତି । ୟୁଏଇ ଗସ୍ତର ଅନ୍ତିମ ଦିନରେ ଭିତୋଲ ଗ୍ରୁପର ମୁଖ୍ୟ ମାଇକ୍ ମିଲ୍ଲରଙ୍କୁ ସାକ୍ଷାତ କରି ଅନ୍ୱେଷଣ ଓ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଭାରତ ଉପଯୋଗୀ ସ୍ଥାନ ହୋଇପାରିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ସେହିପରି  ଓପେକର ସାଧାରଣ ସଚିବ ଡ. ମହମ୍ମଦ ବାରକିଣ୍ଡୋଙ୍କୁ ଭେଟି ଭାରତ-ଓପେକ୍ ଭାଗିଦାରୀକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ଉର୍ଜାର ସୁରକ୍ଷା ଓ ଉର୍ଜା ଦାରିଦ୍ର୍ୟର ସମାଧାନ ପାଇଁ ମିଶି କାମ କରିବା ପାଇଁ ସହମତି ହୋଇଛି ।

ଆବୁଧାବୀରେ ଅନ୍ତର୍ଜାତୀୟ ପେଟ୍ରୋଲିୟମ ପ୍ରଦର୍ଶନୀ ଓ ସମ୍ମଳନୀରେ ଯୋଗଦେବାକୁ ନଭେମ୍ବର ୧୦ରୁ ୧୨ ଦୁଇ ଦିନିଆ ୟୁଏଇ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଆଉ ଏହି ସମ୍ମିଳନୀରେ ଯୋଗ ଦେଇ ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାର ଲକ୍ଷ୍ୟ ନେଇ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ୍ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବାର ଯୋଜନା ଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।