‘ରୂପାନ୍ତରିକରଣ ନା ପ୍ରତାରଣା’: ଖୋଲା ବିତର୍କ ପାଇଁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

78

କନକ ବ୍ୟୁରୋ: ବିଭିନ୍ନ ଯୋଜନା ଦ୍ୱାରା ରାଜ୍ୟରେ ରୂପାନ୍ତରଣ ହେଉଥିବା, ରାଜ୍ୟ ସରକାର ଦାବି କରୁ ଆସୁଛନ୍ତି । ସ୍ୱାସ୍ଥ୍ୟ, ଶିକ୍ଷା, କଳା କ୍ଷେତ୍ରରେ ପରିବର୍ତନ ଆସିଥିବା କହୁଛନ୍ତି । କିନ୍ତୁ ସରକାରଙ୍କ ଏହି ଦାବିକୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ଓ ଆଇନଶୃଂଖଳା ସମେତ ଏକାଧିକ ପ୍ରସଙ୍ଗ ଉଠାଇ ଏହା କେମିତିକା ରୂପାନ୍ତରଣ ବୋଲି ପ୍ରଶ୍ନ କରିଛନ୍ତି ।

ବିଜେଡି ନେତାମାନେ ବାରମ୍ବାର ଟାର୍ଗେଟ କରି ଆସୁଥିଲେ ବି ପ୍ରାୟତଃ ଚୁପ ରହୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଡା ଜବାବ ଦେଇଛନ୍ତି । କିନ୍ତୁ ଏଥର ଧର୍ମେନ୍ଦ୍ର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ବିଜେପିର ମିଶ୍ରଣ ପର୍ବ ମଂଚରୁ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି । କହିଛନ୍ତି, ୨୫ ବର୍ଷ ହେଲା ଲୋକ ଆପଣଙ୍କୁ ଭରସା କଲେ, ଖାଲି ରୂପାନ୍ତରଣ କଥା କହୁଛନ୍ତି । ହେଲେ ଏହାର ହିସାବ ଦେବାକୁ ପଡିବ । ରପୂାନ୍ତରଣ ନା ପ୍ରତାରଣା? ରୂପାନ୍ତରଣ ନା ଛଳନା? କେବଳ ଏତିକି ନୁହେଁ ବିଏସକେୱାଇ କାର୍ଡ, ଉଜ୍ୱଳା ଯୋଜନା କଥା ଉଠାଇ ସରକାର ଓ ବିଜେଡି ନେତାଙ୍କ ଉପରେ ବର୍ଷିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ଶ୍ୱେତପତ୍ର ପ୍ରକାଶ କରିବାକୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ।

ବିତର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଆହ୍ୱାନ ଦେବା ପରେ ପାଲଟା ପ୍ରଶ୍ନ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଟୁଇଟ୍ କରି ଲେଖିଛନ୍ତି, ଭାଇ ଆପଣଙ୍କୁ ଆଇନା ଦେଖାଇଲେ ଏତେ ଚିଡି ଯାଉଛନ୍ତି କଣ ପାଇଁ? ୩ଟି ସାଧାରଣ ପ୍ରଶ୍ନ ଆପଣଙ୍କୁ ପଚରାଯାଇଥିଲା । … ଲାଗୁଛି ପ୍ରଶ୍ନ ସବୁ ଶୁଣି ଆପଣ ରାଗି ଯାଇଛନ୍ତି ଓ ରକ୍ତଚାପ ବଢ଼ିଯାଇଛି । ଆପଣ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ କରିଥିବା ଦେଖିଥିଲି । ଅନୁରୋଧ କରୁଛି ଏବେ ନିୟମିତ ଭାବେ ଯୋଗ କରନ୍ତୁ ।

କେବଳ ପ୍ରଣବ ପ୍ରକାଶ ଦାସ ନୁହନ୍ତି, ବିଜେଡିର ଅନ୍ୟନେତାମାନେ ମଧ୍ୟ ଧର୍ମେନ୍ଦ୍ରଙ୍କ ସମାଲୋଚନାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅନୁଗୋଳ ଓ ସମ୍ବଲପୁର ଗସ୍ତବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ । ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ହୋଇ ବି ନିଜ ମାଟି ପାଇଁ ବିଶ୍ୱବିଦ୍ୟାଳୟ, କି ଗୋଟିଏ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟେ କରି ନାହାନ୍ତି ବୋଲି ଅଭିଯୋଗ କରିଥିଲେ । ଦକ୍ଷତା ବିକାଶ କେନ୍ଦ୍ରଟେ ବି ସ୍ଥାପନ କରିନାହାନ୍ତି ବୋଲି କହିଥିଲେ । ଜାତୀୟ ରାଜପଥ-୫୫ର ଅବସ୍ଥା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ..ତେବେ ପ୍ରଣବଙ୍କ ଅଭିଯୋଗ ପରେ ବିଜେପି ବିଧାୟକ ଲଳିତେନ୍ତୁ ବିଦ୍ୟାଧର ମହାପାତ୍ର ଟୁଇଟ୍ କରି ତାଙ୍କୁ କଡା ସମାଲୋଚନା କରିଛନ୍ତି ।