ଓଡ଼ିଶାରେ ପିଏମଶ୍ରୀ ସ୍କୁଲ ଯୋଜନା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର । କେନ୍ଦ୍ରୀୟ ଯୋଜନାରେ ସ୍କୁଲ ଖୋଲିବା ପାଇଁ ଲେଖିଲେ ଚିଠି
କନକ ବ୍ୟୁରୋ: ଓଡ଼ିଶାରେ ପିଏମଶ୍ରୀ ସ୍କୁଲ ପାଇଁ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସହ ଏମଓୟୁ କରିବା ପାଇଁ ଅନୁରୋଧ କରିଛନ୍ତି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ, ଅକ୍ଟୋବର ୯ ଓ ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, ବର୍ତମାନ ସୁଦ୍ଧା ପ୍ରାୟ ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏଥିପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇସାରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସ୍କୁଲ ଚୟନ ଶେଷ ହୋଇଛି । କିନ୍ତୁ ଓଡ଼ିଶା ଏପର୍ଯ୍ୟନ୍ତ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ କରିନାହିଁ । ସମଗ୍ର ଦେଶରେ ୧୪ହଜାର ୫୦୦ରୁ ଅଧିକ ପିଏମଶ୍ରୀ ସ୍କୁଲ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସ୍କୁଲ ମାଧ୍ୟମରେ ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସ ରୁମ୍ ଏବଂ କ୍ରୀଡ଼ା ସହ ଅନ୍ୟାନ୍ୟ ଦିଗ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି ।