ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରୀରେ ଓବିସି ଓ ଏସଇବିସି ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ କଲେ ଅନୁରୋଧ ।

261

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଓବିସି ଓ ଏସଇବିସି ବର୍ଗ ପାଇଁ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରୀରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଓଡିଶାରେ ଓବିସି ଓ ଏସଇବିସି ବର୍ଗର ଲୋକ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ ଓ ଏମାନଙ୍କ ମଧ୍ୟରୁ ଅଧିକାଂଶ ଦରିଦ୍ର ଶ୍ରେଣୀର ଲୋକ ରହିଛନ୍ତି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ଓବିସି ମାନଙ୍କୁ ସଂରକ୍ଷଣ ସୁବିଧା ମିଳୁନଥିବା ବେଳେ ଏସଇବିସି ମାନଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ସୁବିଧା ଦେଉନାହାନ୍ତି ରାଜ୍ୟ ସରକାର । ଯେଉଁଥିପାଇଁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଏହି ବର୍ଗର ଅଧିକାଂଶ ଲୋକ ଏବେ ମଧ୍ୟ ପଛୁଆ ରହିଛନ୍ତି ।

ଏହାପୂର୍ବରୁ ଭାରତ ସରକାର ଓବିସି ବର୍ଗଙ୍କୁ ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି । ଯାହାକୁ ସୁପ୍ରିମକୋର୍ଟ ମଧ୍ୟ ମାନ୍ୟତା ଦେଇଛନ୍ତି । ତେଣୁ ଏହି ବର୍ଗର ଲୋକମାନଙ୍କୁ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରୀରେ ଅଧିକ ସୁଯୋଗ ଉପଲବ୍ଧ କରାଇବା ପାଇଁ ରାଜ୍ୟରେ ମଧ୍ୟ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।