କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଦ୍ୟ ପ୍ରକ୍ରିୟାକରଣ ଓ ସାମୁଦ୍ରିକ ଉତ୍ପାଦ ଶିଳ୍ପରେ ଓଡିଶାରେ ପୁଂଜି ନିବେଶ ପାଇଁ ଉପସାଗରୀୟ ରାଷ୍ଟ୍ର ସମୂହରେ ପୁଂଜି ନିବେଶକାରୀ ମାନଙ୍କ ସହ ସେ କଥା ହୋଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଜଣାଇଛନ୍ତି । ଏହି ମାମଲାରେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ସହଭାଗିତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଅନୁରୋଧ କରିଛନ୍ତି । ଭାରତ ଶକ୍ତି ସୁରକ୍ଷା ପାଇଁ ଉପସାଗରୀୟ ଦେଶ ଗୁଡିକ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ସେ ଦେଶ ଗୁଡିକର ଖାଦ୍ୟ ସୁରକ୍ଷା ପାଇଁ ଓଡିଶା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

Advertisment

ଉପସାଗରୀୟ ରାଷ୍ଟ୍ର ପାଇଁ ଖାଦ୍ୟ ପ୍ରକ୍ରିୟାକରଣର ପେଣ୍ଠସ୍ଥଳୀ ଭାବେ ପାରାଦ୍ୱୀପ ଏହି ସ୍ଥାନ ନେଇପାରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହି ଉପସାଗରୀୟ ରାଷ୍ଟ୍ର ଗୁଡ଼ିକୁ ଆମେରିକା, କାନାଡ଼ା ଓ ବ୍ରାଜିଲର ଖାଦ୍ୟ ଆମଦାନୀ ତୁଳନାରେ ଭାରତର ଆମଦାନୀ ପ୍ରତିଶତ କମ ରହିଛି । ତେଣୁ ଏହାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଥିବା ସେ କହିଛନ୍ତି । ସେଥିପାଇଁ ପୁଂଜିନିବେଶକାରୀଙ୍କୁ ଓଡିଶାର ଏହି କ୍ଷେତ୍ରରେ ଭିତିଭୂମି, କୃଷିଜାତ ଦ୍ରବ୍ୟ ତଥା ସାମୁଦ୍ରିକ ଉତ୍ପାଦ କ୍ଷେତ୍ରରେ ଥିବା ସୁବିଧା ସମ୍ପର୍କରେ ଅବଗତ କରାଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।ଏହାଦ୍ୱାରା ପଶ୍ଚିମ ଓଡିଶାର ସୁଭାଷିତ ଚାଉଳ, ଚିଲିକାର ସାମୁଦ୍ରିକ ଉତ୍ପାଦ, ଆମ୍ବ, ସୁଭାଷିତ ପୁଷ୍ପ, କନ୍ଧମାଳର ହଳଦି, କୋରାପୁଟର ଅଦା ଭଳି ସାମଗ୍ରୀ ଉପସାଗରୀୟ ରାଷ୍ଟ୍ର ଗୁଡ଼ିକୁ ରପ୍ତାନି କରାଯାଇ ପାରିବ ।