କେଉଁ ଆସନରୁ ନିର୍ବାଚନ ଲଢିବେ ଧର୍ମେନ୍ଦ୍ର? ଦୁଇଟି ଆସନକୁ ନେଇ ବଢିଲା ଚର୍ଚ୍ଚା

ଲୋକସଭା ନା’ ବିଧାନସଭା ନିର୍ବାଚନ ଲଢିବେ, ତାହା ହିଁ ବଡ ପ୍ରଶ୍ନ...

10,178

କନକ ବ୍ୟୁରୋ: ଏଥର ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୈନିକ ଖବର କାଗଜ ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଓଡିଶା ଚ୍ୟାପ୍ଟର କାର୍ଯ୍ୟକ୍ରମରେ ଭାଗ ନେଇ ନିର୍ବାଚନ ଲଢିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ନିର୍ବାଚନରେ ଲଢ଼ିବେ କି ନାହିଁ ଏକ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି, ଏଥର ସେ ପ୍ରତିଦ୍ୱନ୍ଦିତା କରିବେ । ଏଥିପାଇଁ ଦଳକୁ ଅନୁରୋଧ କରିଛନ୍ତି । ତେବେ ବିଧାନସଭା କି ଲୋକସଭା ପାଇଁ ଲଢ଼ିବେ ଏହି ପ୍ରଶ୍ନକୁ ଏଡାଇ ଦେଇଛନ୍ତି । ଅର୍ଥାତ ବିଧାନସଭାରୁ କି ଲୋକସଭା ଆସନରୁ ଲଢ଼ିବେ ତାହା ସ୍ପଷ୍ଟ କରି ନାହାଁନ୍ତି ଧର୍ମେନ୍ଦ୍ର ।

  • ବିଧାନସଭା ନା’ ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ?
  • ଓଡ଼ିଶାର କେଉଁ ଆସନରୁ ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ?
  • ଚର୍ଚ୍ଚାରେ ଓଡ଼ିଶାର ଦୁଇଟି ଲୋକସଭା ଆସନ !

ପ୍ରାୟ ଗୋଟିଏ ବର୍ଷ ଧରି ଯେଉଁ ଚର୍ଚ୍ଚା ହେଉଥିଲା, ସେହି ଚର୍ଚ୍ଚା ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଆଗାମୀ ନିର୍ବାଚନରେ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ସେ କେଉଁ ଆସନରୁ ନିର୍ବାଚନ ଲଢ଼ିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ପୃଷ୍ଠଭୂମି ଓ କିଛି ମାସ ଭିତରେ ତାଙ୍କ କାର୍ଯ୍ୟକ୍ରମକୁ ଦେଖିଲେ, ଦୁଇଟି ଲୋକସଭା ଆସନକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଢ଼େଙ୍କାନାଳ ଲୋକସଭା ଆସନ ଏବଂ ସମ୍ବଲପୁର ଲୋକସଭା ଆସନ । ଢ଼େଙ୍କାନାଳ ଓ ଅନୁଗୁଳ ଜିଲ୍ଳାରେ କ୍ରମାଗତ ଭାବେ ଧର୍ମେନ୍ଦ୍ର କିଛି ମାସ ହେଲା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ଆସୁଛନ୍ତି । ଆଉ ଆଜି ସୁରେନ୍ଦ୍ର ସାଏଙ୍କ ଜନ୍ମଜୟନ୍ତୀରେ ଖିଣ୍ଡା ଗାଁକୁ ଯିବା ସହ ସମ୍ବଲପୁର ଜିଲ୍ଲାର ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ୨୦୦୦ ମସିହାରେ ପାଲଲହଡାରୁ ବିଧାନସଭା ଆସନକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ତକ୍ରାଳୀନ ଦେବଗଡ଼ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ଧର୍ମେନ୍ଦ୍ରଙ୍କ ବାପା ଦେବେନ୍ଦ୍ର ପ୍ରଧାନ ମଧ୍ୟ ଦେବଗଡ଼ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏସବୁ ଭିତରେ ଧର୍ମେନ୍ଦ୍ର, ନିର୍ବାଚନୀ ମୈଦାନକୁ ଓହ୍ଲାଇବା ପ୍ରସଙ୍ଗକୁ ବିଜେପି ସ୍ୱାଗତ କରିବା ସହ ଏହା ଓଡ଼ିଶା ବିଜେପି ପାଇଁ ଫାଇଦା ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି । କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି । ବିଜେଡି କିନ୍ତୁ କହିଛି ଯିଏ ବି ଲଢ଼ୁ ବିଜେଡି ଜିତିବ ।

ଓଡ଼ିଶାରୁ ଉଭୟ ଲୋକସଭା ଓ ବିଧାନସଭାକୁ ପୂର୍ବରୁ ନିର୍ବାଚିତ ହୋଇସାରିଥିବା ଧର୍ମେନ୍ଦ୍ର, ଲଗାତାର ୨ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଥରେ ବିହାରରୁ ଓ ଆଉ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି । କିନ୍ତୁ ସାଧାରଣ ନିର୍ବାଚନ ଲଢ଼ି ଲୋକସଭାକୁ ନିର୍ବାଚିତ ହେବା ଏବଂ ମନ୍ତ୍ରୀମଣ୍ଡଳରେ ସାମିଲ ହେବା, ହୁଏତ ଏକ ବଡ଼ ଚ୍ୟାଲେଞ୍ଜ ହେବ ।