ବାତ୍ୟା କ୍ଷତିର ଭରଣା କରିବାକୁ ରାଜ୍ୟକୁ ସବୁପ୍ରକାର ସହଯୋଗ କରିବ କେନ୍ଦ୍ର । ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାକୁ ସୁଦୃଢ କରାଯିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

169

କନକ ବ୍ୟୁରୋ : ବାତ୍ୟା ୟାସ୍  ପ୍ରଭାବିତ ଅଞ୍ଚଳର କ୍ଷତି ଭରଣା କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ସବୁ ପ୍ରକାର ସହଯୋଗ କରିବେ କେନ୍ଦ୍ର ସରକାର । ପ୍ରଭାବିତ ଅଞ୍ଚଳରେ ରିଲିଫ, ପୁନରୁଦ୍ଧାର, ଜୀବନଜୀବିକା ପୁନଃସ୍ଥାପନ ଦିଗରେ ପ୍ରଧାନମନ୍ତ୍ରୀ ସବୁ ପ୍ରକାର ସହଯୋଗ କରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ଆହୁରି ଅଧିକ ସୁଦୃଢ କରାଯିବ ।

ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶାକୁ ପ୍ରସ୍ତୁତ କରିବା କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଆଜି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ । ଏହି ବୈ÷ଠକ ପରେ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି କି, ବାତ୍ୟା ୟାସର ମୁକାବିଲା ଦିଗରେ କେନ୍ଦ୍ରୀୟ ଓ ରାଜ୍ୟ ସଂସ୍ଥା ଗୁଡିକର ସକ୍ରିୟ ଭୂମିକାକୁ  ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ଆଜି ଆକଶମାର୍ଗରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ପ୍ରଭାବିତ ଅଂଚଳ ପରିଦର୍ଶନ କରିବା ସହ ବିପଦ ବେଳେ ରାଜ୍ୟ ସରକାରଙ୍କ ପାଖରେ ଠିଆ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମୀକ୍ଷା ପରେ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଂଚଳ ପରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଥୀରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାମୁଦ୍ରିକ ଝଡ ଦ୍ୱାରା ପ୍ରଭାବିତ ହୋଇଥିବା ଅଂଚଳ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ । ୟାସ ଭଦ୍ରକ ଓ ବାଲେଶ୍ୱର ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଛି । ଏହାପ୍ରଭାବରେ ଏହି ଦୁଇଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାସହ ମୟୂରଭଂଜ ଜିଲ୍ଲା ଓ ପଶ୍ଚିମବଙ୍ଗର କିଛି ଜିଲ୍ଲା ପ୍ରଭାବିତ ହୋଇଛି ।

ଓଡିଶାର ବାତ୍ୟା ପ୍ରଭାବିତ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବା ସହ ପଶ୍ଚିମବଙ୍ଗ ପ୍ରଭାବିତ ଅଂଚଳର ମଧ୍ୟ ସ୍ଥିତି ବି ଅନୁଧ୍ୟାନ କରିଛନ୍ତି । ବାତ୍ୟା ‘ୟାସ’ କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ପଦାଧିକାରୀ ମାନେ ଯୋଗ ଦେଇଥିଲେ ।