କନକ ବ୍ୟୁରୋ: ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଧା ସିଧା ରାଜ୍ୟ ସରକାରଙ୍କୀ ତୀର ମାରିବା ସହିତ ଧର୍ମେନ୍ଦ୍ର ଟୁଇଟ୍ କରି ବର୍ଷିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, କାନୁନବୀହିନ ଓଡିଶା ହିଁ ଏବେକାର ବାସ୍ତବିକତା । ଶାସନରେ ଦୀର୍ଘ ଦିନ ଧରି ରହିଥିବା ଲୋକ ଏ କଥାକୁ ଭଲସେ ଜାଣିଛନ୍ତି ବୋଲି ଧର୍ମେନ୍ଦ୍ର ଟୁଇଟ୍ କରିଛନ୍ତି । ଅନ୍ୟପଟେ ଝାରସୁଗୁଡାର ୧୫ ବର୍ଷୀୟ ଯୁବକ ସମର୍ଥର ହତ୍ୟାକୁ ନେଇ ମଧ୍ୟ ଧର୍ମେନ୍ଦ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Advertisment

ଟୁଇଟ୍ କରି ଧର୍ମେନ୍ଦ୍ର ଲେଖିଛନ୍ତି, ମନ୍ତ୍ରୀ ନବ ଦାସଙ୍କୁ ଦିନ ଦ୍ୱିପହରରେ ହତ୍ୟା କରିବାର ଠିକ୍ ଦୁଇ ମାସ ପରେ ସମର୍ଥଙ୍କ ହତ୍ୟା ଓଡିଶା ସରକାରଙ୍କ ଆଇନ୍ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି । ଓଡିଶାରେ ଏବେ ନା ଲୋକ ନା ଜନପ୍ରତିନିଧି, କେହି ବି ସୁରକ୍ଷିତ ନୁହଁନ୍ତି । ଝାରସୁଗୁଡାରେ ନିୟମିତ ଭାବେ ଏମିତି ବୀଭତ୍ସ ଘଟଣା ଦେଖିବାକୁ ମିଳୁଛି । ଯାହା ଫଳରେ ଓଡିଶା ଲୋକଙ୍କର ବିଶ୍ୱାସ କମିବାକୁ ଲାଗିଲାଣି ବୋଲି ଧର୍ମେନ୍ଦ୍ର କହିଛନ୍ତି । ତେବେ ଖାଲି ସେତିକି ନୁହେଁ, ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ସରକାର ଚେଷ୍ଟା କରିବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ତେବେ ଆଇନ୍ ଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ଟାର୍ଗେଟ କରିବା ପରେ ଏହାର ଜବାବ ରଖିଛି ବିଜେଡି । ଦଳର ଉପ ସଭାପତି ଦେବୀ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା ନେଇ ପୂର୍ବରୁ କହି ସାରିଛନ୍ତି । ଧର୍ମେନ୍ଦ୍ରଙ୍କୁ ତେରେଛା ତୀର ମାରି ବିଜେଡି ବିଧାୟକ କହିଛନ୍ତି, ନିଜ କଥାକୁ ନିଜେ ଦର୍ପଣରେ ଦେଖିବାର ଆବଶ୍ୟକତା ରହିଛି । ଅନ୍ୟ ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା କଣ ଅଛି? ହାତରସ ହେଉ କି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ କୃଷକଙ୍କୁ ଗଣ ହତ୍ୟା କରିବା ହେଉ, ସେଗୁଡିକ କେଉଁ ଶୃଙ୍ଖଳା? ତେଣୁ କେବଳ କହିବା ଛଳରେ କହିଲେ ହେବ ନାହିଁ, ଏହାକୁ କେମିତି ସୁଧାରି ହେବ ସେ ନେଇ ପରାମର୍ଶ ଦେଲେ ଭଲହେବ ବୋଲି ବିଜେଡି ବିଧାୟକ କହିଛନ୍ତି ।

ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ କହିବା କଥା, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ । ଝାରସୁଗୁଡା ପାଇଁ କଳା ଦିନ ହେଉଛି ୨୯ ତାରିଖ । ଜାନୁଆରୀ ୨୯ ରେ ନବ ଦାସଙ୍କୁ ହତ୍ୟା ଏବଂ ମାର୍ଚ୍ଚ ୨୯ ଗୋଟେ ଛୋଟ ପିଲାଟିକୁ ହତ୍ୟା କରାଯାଇଛି । ଓଡିଶାରେ ଏମିତି ଘଟଣା କେବେ ଘଟୁ ନଥିଲା । ବିଜେଡି ଶାସନରେ ହତ୍ୟା, କିଡନାପ, ନାରୀ ଧର୍ଷଣ ବଢ଼ି ଚାଲିଛି । ଯାହା ସୂଚାଉଛି ୟୁପିଠାରୁ ବି ପରିସ୍ଥିତି ଖରାପ । ଆଗକୁ ଝାରସୁଗୁଡା ଉପ ନିର୍ବାଚନରେ ଭୋଟ ଦେବାକୁ ବି ଲୋକେ ଡରିବେ । ରାଜ୍ୟ ସରକାର ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସମର୍ଥ ଅଗ୍ରୱାଲଙ୍କ ହତ୍ୟାକାରୀକୁ ସାମ୍ନାକୁ ଆଣନ୍ତୁ, ନହେଲେ ଝାରସୁଗୁଡାରେ ଭୋଟ ଦେବାକୁ ଲୋକେ ଡରିବେ ବୋଲି କଂଗ୍ରେସ ବିଧାୟକ ପ୍ରତିକ୍ରିୟା ରଖିଛନ୍ତି ।