କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ରାବଣ ଓ ଦୁର୍ଯ୍ୟୋଧନ ଉପାଖ୍ୟାନ, ଟାର୍ଗେଟରେ ରାଜ୍ୟ ସରକାର ।

177

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାକୁ ଏହା ଭିତରେ ବର୍ଷେ ପୁରିଛି । ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ଶ୍ରଦ୍ଧାଞ୍ଜଳି ସଭା ପାଳିଛି ଦଳ । ଆଉ ଏହି ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆବର୍ଷ ଆରମ୍ଭରୁ ନବୀନ ସରକାରକୁ ବାଣ ମାରିଛନ୍ତି ଧର୍ମେନ୍ଦ୍ର । ଆଉ ଏହାସହ ନବୀନ ସରକାରର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ମାହାଙ୍ଗା ହତ୍ୟାକାଣ୍ଡକୁ ବର୍ଷେ ପୁରିଥିଲେ ଏହାର ତଦନ୍ତ କେଉଁଠି ପହଞ୍ଚିଛି? ଏଫଆଇଆର କପିରେ ବେଆଇନ ମନ୍ତ୍ରୀଙ୍କ ନାଁ ଥିଲେ ମଧ୍ୟ ଚାର୍ଜସିଟରୁ କାହିଁକି କାଟି ଦିଆଗଲା? କୁଳମଣିଙ୍କ ପୁଅଙ୍କ ଅଭିଯୋଗକ୍ରମେ ତଦନ୍ତ ସଠିକ ଢଙ୍ଗରେ ହୋଇନଥିବା କୁହାଯାଇଥିଲା । ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ବ୍ୟକ୍ତିଙ୍କର ମୃତଦେହ ମନ୍ତ୍ରୀଙ୍କ ବ୍ୟବସାୟିକ ପେଣ୍ଠସ୍ଥଳୀରୁ ମିଳିଥିଲା । ପରେ କୋର୍ଟରେ ମାମଲା ପହଞ୍ଚିବାରୁ ଚାର୍ଜସିଟରେ ମନ୍ତ୍ରୀଙ୍କ ନାଁ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ମୋ ସରକାରର ନାରା ଦିଆଯାଉଛି, ପାରଦର୍ଶୀ ସରକାର ବୋଲି କହୁଛନ୍ତି । କିନ୍ତୁ ସ୍ଥିତି କଣ ସମସ୍ତେ ଜାଣୁଛନ୍ତି । ଅନ୍ୟାୟ, ଅତ୍ୟାଚାର ବିରୋଧରେ ଲଢେଇ କରି କୁଳମଣି ପ୍ରାଣ ଦେଇଛନ୍ତି, ଆଉ ଏହି ବଳିଦାନ କେବେ ବ୍ୟର୍ଥ ଯିବନି ।

ଧର୍ମେନ୍ଦ୍ର କହିଛନ୍ତି, ନୂଆ ଡିଜି ଓଡ଼ିଶାରେ ପହଞ୍ଚିଛନ୍ତି, ତାଙ୍କ ଠାରୁ କୁଳମଣିଙ୍କୁ ଭଲ ପାଉଥିବା ବ୍ୟକ୍ତି ନ୍ୟାୟ ପାଇବା ଆଶାରେ ରହିଛନ୍ତି । ଓଡ଼ିଶାରେ ସାଇବର ଅପରାଧ ଭଲ ଭାବେ ନିୟନ୍ତ୍ରଣ କରାଯାଉଥିବା ଡିଜି କହୁଛନ୍ତି କିନ୍ତୁ ସ୍ଥାନୀୟ ପୋଲିସ ଅଧିକାରୀ, ଆଇନ ବିଭାଗର ଅଧିକାରୀ ମାଜିଷ୍ଟ୍ରେଟଙ୍କ ଆଗରେ କାହିଁକି କହୁଛନ୍ତି ଯେ, ସିଡିଆର ରିପୋର୍ଟ ମାଗିଛୁ କିନ୍ତୁ ଏଯାଏଁ ମିଳିନି । କାହିଁକି ବ୍ୟକ୍ତିଗତ ଭାବେ ହାଜର ହେଉନଥିଲେ ପୋଲିସ ଅଧିକାରୀ । ଆଇନ ତା ବାଟରେ ଯିବ ବୋଲି କହୁଥିବା ରାଜ୍ୟ ସରକାରଙ୍କ ଶାସନ ବ୍ୟବସ୍ଥା କାହିଁକି ତଳ କୋର୍ଟର ଅଧିକାର ନାହିଁ ବୋଲି କହୁଥିଲା । ନ୍ୟାୟପାଳିକା ଉପରେ କାହିଁକି ବିଶ୍ୱାସ କରୁନଥିଲେ । ସ୍ଥାନୀୟ ମାଜିଷ୍ଟ୍ରେଟ ତ କୌଣସି ଦଳୀୟ ଲୋକ ନଥିଲେ । କାହିଁକି କୋର୍ଟର କଥା ମାନୁନାହାନ୍ତି । ଡର ରହିଛି କୋର୍ଟ କଥା ମାନିଲେ ଚୋରି ଧରାପଡିଯିବ ।

ଆୱାସ ଯୋଜନାରେ ଦେଢ ହଜାର କୋଟି ଟଙ୍କା ଚୋରି ହୋଇଛି । ଫୋନି ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ବୁଲି ଦେଖିଥିଲେ । ଘର ଦେବାକୁ ପୋର୍ଟାଲ ଖୋଲାଯାଇଥିଲା କିନ୍ତୁ ନାଁ ଦେଲେନି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଓଡ଼ିଆ ଲୋକଙ୍କର ଚିନ୍ତା ନାହିଁ । ଓଡ଼ିଆ ଲୋକଙ୍କର ମୁଣ୍ଡ ଉପରେ ଘର ରହୁ ଏ ଦରଦ ଆପଣଙ୍କ ପାଖରେ ନାହିଁ । କେବଳ ଜୋରଜବରଦସ୍ତ କରି ଶାସନ ଚଳାଇବା ନୀତି ହୋଇଗଲାଣି । ଏହା ଆପଣଙ୍କ ସରକାରର ଯୋଜନା ହୋଇଗଲାଣି ।

ଅବ୍ୟବସ୍ଥା,ଅତ୍ୟାଚାର ଓ ଅନ୍ୟାୟକୁ ଲୋକେ ସହନ୍ତି ନାହିଁ । ରାବଣ, ଦୁର୍ଯ୍ୟୋଧନଙ୍କର ବି ଅହଙ୍କାର ଦମ୍ଭ ଥିଲା, ଆପଣଙ୍କ ଅହଙ୍କାରକୁ ବି ମହାପ୍ରଭୁ ଜଗନ୍ନାଥ ଦେଖୁଛନ୍ତି । କେଡେ କେଡେ ବଡ ବ୍ୟକ୍ତିଙ୍କ ଦର୍ପକୁ ମହାପ୍ରଭୁ ଭାଙ୍ଗିଛନ୍ତି । ତଳକୋର୍ଟର ନିଷ୍ପତ୍ତିକୁ କାହିଁକି ଆପଣଙ୍କ ପୋଲିସ ମାନିଲା ନାହିଁ । କାହିଁକି ଏଡିଜିଏମ କୋର୍ଟକୁ ଗଲେ । ଏଡିଜିଏ କୋର୍ଟକୁ କାହିଁକି କଡା କଥା କହିବାକୁ ପଡିଲା । ଗରିବ ଲୋକଙ୍କ ଟିକସରେ ସରକାରୀ ପୋଲିସ, ବାବୁଙ୍କୁ ଦରମା ଦେଉଛନ୍ତି, ଆଉ ସେହି ଅଧିକାରୀଙ୍କୁ ଗରିବ ଲୋକଙ୍କ ବିରୋଧରେ ଲଗାଉଛନ୍ତି । ଆପଣଙ୍କ ଦିନ କାଳ ଧୀରେ ଧୀରେ ଶେଷ ହେବ, କୁଳମଣି ବାବୁଙ୍କ ବଳିଦାନ କେବେ ବ୍ୟର୍ଥ ହେବନି ।