ମମିତା ପ୍ରସଙ୍ଗରେ ବର୍ଷିଲେ ଧର୍ମେନ୍ଦ୍ର । କହିଲେ ନିଜ ପ୍ରିୟ ଲୋକ ପାଇଁ କଣ ନୈତିକତା ଅଲଗା, ହାଇକୋର୍ଟରେ ହୋଇଛି ପ୍ରାୟୋଜିତ କେସ୍ ।

208

କନକ ବ୍ୟୁରୋ : ମମିତା ମେହେର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୀର୍ଘଦିନ ପରେ ମମିତା ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ଧର୍ମେନ୍ଦ୍ର । ଆଉ ନିଜ ପ୍ରଶ୍ନବାଣରେ ନବୀନଙ୍କୁ ଘାଇଲା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ବିଜେପି କାର୍ଯ୍ୟାଳୟରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ଓଡ଼ିଶାରେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ସ୍ଥିତି କଣ ତାହା ପୂରା ରାଜ୍ୟବାସୀ ଜାଣିଛନ୍ତି । କୌଣସି ଅଭିଯୋଗ ଆସିଲେ ନୈତିକତା ଆଧାରରେ ଅନେକ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବିଦା କରିଛନ୍ତି । କିନ୍ତୁ ମମିତା ପ୍ରସଙ୍ଗରେ ଆପଣଙ୍କ ପ୍ରିୟ ଲୋକର ନୈତିକତା କଣ ଅଲଗା ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।

ମମିତା ମୃତ୍ୟୁ ଘଟଣାରେ ହୁଏତ ଆପଣଙ୍କ ମନ୍ତ୍ରୀଙ୍କର ସମ୍ପୃକ୍ତି ନ ଥାଇପାରେ । କିନ୍ତୁ ତାଙ୍କ ନାଁରେ ଯେଉଁ ଅଭିଯୋଗ ହେଉଥିଲା ସେତେବେଳେ ନୈତିକତାର ଦ୍ୱାହି କାହିଁକି ଦିଆଗଲାନି । ମମିତାଙ୍କ ବାପା ଓ ମା’ଙ୍କୁ ନେଇ ପ୍ରାୟୋଜିତ କେସ କରିଛନ୍ତି ହାଇକୋର୍ଟରେ । ଚାର୍ଜସିଟ ଦାଖଲ କରିବାର ସମୟ ସରିନାହିଁ, କିନ୍ତୁ ତ୍ୱରିତ ଶୁଣାଣି ପାଇଁ ଅପିଲ ହେଉଛି ।ପୀଡିତାର ବାପା ଓ ମା ଏଫଆଇଆର ଦେବାକୁ ସେତେବେଳେ ଥାନା ଥାନା ବୁଲିଥିଲେ । କିନ୍ତୁ ଏବେ ଚାପ ପକାଇ ତାଙ୍କୁ ହାଇକୋର୍ଟ ଅଣାଯାଇଛି । । ୧୬୪ ରେ ଷ୍ଟେଟମେଣ୍ଟ କାହିଁକି ପିଡ଼ୀତାର ବାପା ମାଆଙ୍କର ରେକର୍ଡ କରାଗଲା ନାହିଁ । ଗଣମାଧ୍ୟମ ଯେଉଁ ସବୁ କଥାକୁ ଆଗକୁ ଆଣିଥିଲା । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନାଁ ଆସିଲା । ପୋଲିସ ଅଧିକାରୀ ଓ ଅନ୍ୟ ଅଧିକାରୀ ମାନେ ଗୁଇନ୍ଦାଗିରି କରୁଛନ୍ତି ।

ମମିତା ପ୍ରସଙ୍ଗରେ ବିରୋଧୀ ଦଳ ମାନେ ହୀନ ରାଜନୀତି କରୁଛନ୍ତି ବୋଲି ସରକାରୀ ଦଳ ଅଭିଯୋଗ କରୁଛନ୍ତି । କିନ୍ତୁ ପ୍ରଶ୍ନ, ମେଣ୍ଟ ଥିବା ବେଳେ ଅଟଳ ବିହାରୀ ବାଜପେୟୀଙ୍କୁ କିଏ ଆଠଗଡ ନେଇଥିଲା । ୨୦୦୦ ମସିହାରେ କେଉଁ ପ୍ରସଙ୍ଗରେ ରାଜନୀତି ଲଢାଯାଇଥିଲା ତାହା କହିବାର ବୋଧହୁଏ ଆଉ ଆବଶ୍ୟକତା ନାହିଁ । ସେତେବେଳେ ଯଦି ସେହି ପ୍ରସଙ୍ଗ ସମ୍ବେଦନଶୀଳ ଥିଲା ତେବେ ଆଜି ଯେତେବେଳେ ଜଣେ ଓଡ଼ିଆ ଝିଅର ଇଜ୍ଜତ ପାଇଁ ବିରୋଧୀ ଦଳ ପ୍ରଶ୍ନ ଉଠାଉଛନ୍ତି ତେବେ ତାହାକୁ ହୀନ ରାଜନୀତି କିଭଳି କୁହାଯିବ । ଓଡ଼ିଆ ଲୋକ ଭରସା କରି ଆପଣଙ୍କୁ ଭୋଟ ଦେଇଛନ୍ତି । କିନ୍ତୁ ଯଦି ସେହି ଦମ୍ଭରେ ପ୍ରଶ୍ନ ପଚାରିବାକୁ ଆଉ କାହାର ଅଧିକାର ନାହିଁ ବୋଲି ଭାବିବା ଠିକ୍ ନୁହେଁ । ଅହଙ୍କାର ରାବଣର ବି ଥିଲା ଦୁର୍ଯ୍ୟୋଧନର ବି ଥିଲା, ଆପଣଙ୍କର ବି ଅଛି । ଏଥିରେ ଅସହମତ ହେବାର ପ୍ରଶ୍ନ ଉଠୁନାହିଁ । ଏଭଳି କହି ଉଭୟ ରାଜ୍ୟ ସରକାର ଓ ନବୀନଙ୍କୁ ତେରଛା ବାଣ ମାରିଛନ୍ତି ଧର୍ମେନ୍ଦ୍ର । ଆଉ ଧର୍ମେନ୍ଦ୍ରଙ୍କ ଏହି ବୟାନ ସୂଚାଉଛି ଯେ, ମମିତା ପ୍ରସଙ୍ଗରେ ଏବେ ପୂର୍ଣ୍ଣଚ୍ଛେଦ ପଡିବାର ପ୍ରଶ୍ନ ଉଠୁନାହିଁ, ବରଂ ଏହି ପ୍ରସଙ୍ଗକୁ ନେଇ ବଡ ମୁଦ୍ଦା କରିପାରେ ଦଳ ।