ପଦ୍ମପୁର ଉପ-ନିର୍ବାଚନ, ଧର୍ମେନ୍ଦ୍ର ମାରିଲେ ବାଣ । କହିଲେ, ୨୨ ବର୍ଷ ସରକାରର ସତ ଜାଣିଲେଣି ଲୋକେ, ପଦ୍ମପୁରବାସୀ ଦେବେ ଉଚିତ୍ ଜବାବ ।

175

କନକ ବ୍ୟୁରୋ : ଗୋଟିଏ ପଟେ ପଦ୍ମପୁର ଉପ-ନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ ଭୁବନେଶ୍ୱରୁ ବିଜେଡିକୁ ବାଣ ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପିର ଷ୍ଟାର ପ୍ରଚାରକ ଥିବା ଧର୍ମେନ୍ଦ୍ର ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ୨୨ ବର୍ଷ ଧରି ଆଞ୍ଚଳିକ ଦଳର ସରକାର ଅଛି । ଲୋକଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଭ୍ରମିତ କରି କିମ୍ବା ଅନ୍ଧାରରେ ରଖାଯାଇ ପାରିବ ନାହିଁ । ଧୀରେ ଧୀରେ ଲୋକ ସତ ଜାଣିବା ଆରମ୍ଭ କଲେଣି । ମିଛକୁ ବାରମ୍ବାର କହିଲେ ସତ ହୁଏନି । ଜିଲ୍ଲାପାଳ ମାନେ ରିପୋର୍ଟ ଦେଲା ପରେ କେତେ ଚାଷୀଙ୍କୁ ଇନପୁଟ ସବସିଡି ଦିଆଯାଇଛି, କେବେ ମରୁଡି ଘୋଷଣା ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ବରଗଡ଼ ଜିଲ୍ଲା ପାଇଁ ଯେଉଁ ସୁଆଙ୍ଗ ରଚିଛନ୍ତି, ପଦ୍ମପୁରର ୩ଟି ବ୍ଲକରୁ ଜଣେ ବି ଚାଷୀଙ୍କ ନାଁ ଯଦି ଚିହ୍ନଟ କରିଛନ୍ତି ଦେଖନ୍ତୁ। କେବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଇସା ପଠାଇଲେ ପ୍ରମାଣ ଦେଖାନ୍ତୁ । ମିଛ କହିବାର ସୀମା ଅଛି । ଫସଲ ବୀମାରେ ନିଜର ଅପାରଗତା କାରଣରୁ ଓଡିଶାର ଚାଷୀଙ୍କୁ ସେଥିରୁ ଲମ୍ବା ସମୟ ପର୍ଯ୍ୟନ୍ତ ବଞ୍ଚିତ ରଖୁଛନ୍ତି । ବରଗଡ଼ ଜିଲ୍ଲାକୁ ନେଇ ବିଭିନ୍ନ କଥାକୁ ନେଇ ବିଭିନ୍ନ ସମୟରେ ଭେଳିକି ଦେଖାଇଥିଲେ । ଲୋକ ମାନେ ତାତିବା ସହ ଆନ୍ଦୋଳନ କରିବାରୁ ମିଛି ମିଛିକା ପ୍ରତିଶୃତି ଦେଇଛନ୍ତି ରାଜ୍ୟ ସରକାର ।

ସେହିଭଳି ସ୍ୱାସ୍ଥ୍ୟ ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ର କହିଛନ୍ତି, ପାଇକମାଳରେ ସ୍ବାସ୍ଥ୍ୟମନ୍ତ୍ରୀ ପଇସା ମୁଣି ଧରି ବୁଲୁଛନ୍ତି କିନ୍ତୁ ଲୋକ ମାନଙ୍କ ଚିକିତ୍ସା ପାଇଁ ତାଙ୍କର ଦାୟିତ୍ୱ ନାହିଁ । ରେଳ ଲାଇନ ଉପରେ କେନ୍ଦ୍ର ରେଳ ମନ୍ତ୍ରୀ ସ୍ପଷ୍ଟ ଉତ୍ତର ରଖିଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ପ୍ରସଙ୍ଗ ନାହିଁ, ପ୍ରସଙ୍ଗରେ ଘେରି ହୋଇଯାଉଛନ୍ତି । ବରଗଡ଼ରେ ଧାନ କିଣା ଏକ ବଡ଼ ପ୍ରସଙ୍ଗ,ଧାନ କିଣା ଯାଇପାରୁନାହିଁ । ଫସଲ ବୀମା ପ୍ରତି ସରକାରଙ୍କ ଅପାରଗତା । ଇନପୁଟ ସବସିଡି ଦିଆଯାଇପାରି ନାହିଁ, ଯୁବକ ମାନେ ଦାଦନ ଖଟିବାକୁ ଯାଉଛନ୍ତି । ଏଗୁଡିକ ହିଁ ଏବେ ପଦ୍ମପୁରରେ ନିର୍ବାଚନ ପ୍ରସଙ୍ଗ । ଶାସକ ଦଳ କେବଳ ସରକାରୀ ବଳ, ଧନ ବଳରେ ନିର୍ବାଚନ ଲଢୁଛନ୍ତି । ପଦ୍ମପୁର ମାଟି ଏକ ସ୍ୱାଭିମାନୀ ଓ ସଂଗ୍ରାମୀ ମାଟି । ସେ ମାଟିରେ ପ୍ରବଞ୍ଚନା ଲମ୍ବା ସମୟ ଧରି ଚାଲିବ ନାହିଁ । ଲୋକ ଉଚିତ ଜବାବ ଦେବେ ।

ଧାମନଗର ଓ ପଦ୍ମପୁରରେ ନିର୍ବାଚନ ପ୍ରସଙ୍ଗ ଭିନ୍ନ ଭିନ୍ନ ରହିଛି । ୨୨ ବର୍ଷର ହାକିମାତି ବିରୋଧରେ ପଦ୍ମପୁରବାସୀ ମତ ଦେବେ । ୨୨ ବର୍ଷ ଧରି ସରକାରରେ ଅଛନ୍ତି । ଆଉ ଏବେ ବିଶ୍ୱସନୀୟତା ହରାଇ ସାରିଲେଣି । ଏଥର ୨୨ ବର୍ଷର ଶାସନ ବିରୋଧରେ ଲୋକେ ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।