ବାତ୍ୟା ୟାସକୁ ନେଇ ଶାହାଙ୍କ ସହ କଥା ହେଲେ ଧର୍ମେନ୍ଦ୍ର । କହିଲେ ବିପତ୍ତି ସମୟରେ ସାଥୀରେ ରହିଛନ୍ତି କେନ୍ଦ୍ର ସରକାର, ସମ୍ଭାବ୍ୟ ସହାୟତା ଓ ସମ୍ପୂର୍ଣ୍ଣ ସହଯୋଗ ପାଇଁ ଶାହା ଦେଲେ ପ୍ରତିଶ୍ରୁତି ।

178

କନକ ବ୍ୟୁରୋ : ବାତ୍ୟାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ୟାସ୍ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକ ସମ୍ପର୍କରେ ଆଲୋଚନା ସହ ଏଭଳି ବିପତ୍ତି ସମୟରେ କେନ୍ଦ୍ର ସରକାର ସାଥୀରେ ରହିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହାସହ ସମସ୍ତ ପ୍ରକାର ସମ୍ଭାବ୍ୟ ସହାୟତା ଏବଂ ସମ୍ପୂର୍ଣ୍ଣ ସହଯୋଗ ପାଇଁ ଶାହା ପ୍ରତିଶ୍ରୁତି ଦେଇଛନ୍ତି ।

ବାତ୍ୟା ସମୟରେ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସତର୍କତା ମାନିବାକୁ ରାଜ୍ୟବାସୀଙ୍କୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି । ଏହାସହ ବାତ୍ୟା ଓ ବର୍ଷାକୁ ସାହସର ସହ ମୁକିବଲା କରିବା ସହ କାହାର ଯେପରି କ୍ଷତି ନହେଉ ସେଥିପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଧର୍ମେନ୍ଦ୍ର ।

ଏହାପୂର୍ବରୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବାତ୍ୟା ମୁକାବିଲାର ସମୀକ୍ଷା କରିଛନ୍ତି । ପ୍ରଭାବିତ ହେବାକୁ ଥିବା ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଶାହା । ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଶାହା ଆଲୋଚନା କରିଛନ୍ତି । ଭିଡ଼ିଓ କନଫରେନ୍ସିଂରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟ ଶାସନ ସଚିବ, ଏସଆରସି ଓ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।

ଏହି ସମୀକ୍ଷା ବୈଠକରେ ଅକ୍ସିଜେନ, ଟିକା ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି ଶାହା । କୋଭିଡ ହସ୍ପିଟାଲରେ ଯେପରି ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ଶାହା । ଏହାବାଦ୍ ବିଜୁଳି କଟିଗଲେ ବିକଳ୍ପ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶାହା । ମହାମାରୀ ସମୟରେ ବାତ୍ୟାର ମୁକାବିଲା ବେଶ ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି କରିପାରେ । ତେଣୁ ବାତ୍ୟା ୟାସର ମୁକାବିଲା ପାଇଁ ତତ୍ପର ହୋଇ ଉଠିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।