କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ଦିଲ୍ଲୀସ୍ଥିତ ଜଗନ୍ନାଥ ମନ୍ଦିରରେ ଧର୍ମେନ୍ଦ୍ରଙ୍କ ପୂଜାର୍ଚ୍ଚନା । ଯୋଗ୍ୟ ବିବେଚିତ କରି ମନ୍ତ୍ରୀମଣ୍ଡଳରେ ସାମିଲ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ ।

223

କନକ ବ୍ୟୁରୋ : ମୋଦୀ ସରକାରର ତୃତୀୟ ପାଳିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ଗୁରୁ ଦାୟିତ୍ୱ । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ଦିଲ୍ଲୀର ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଧର୍ମେନ୍ଦ୍ରଙ୍କ ସହ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ଓ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ।

ଜଗନ୍ନାଥଙ୍କ ଦର୍ଶନ ପରେ ଧର୍ମେନ୍ଦ୍ର କହିଛନ୍ତି, ଯୋଗ୍ୟ ବିବେଚିତ କରି ମନ୍ତ୍ରୀମଣ୍ଡଳରେ ସାମିଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା’ ସମଲେଇଙ୍କ ଆଶୀର୍ବାଦ କାରଣରୁ ଏହା ସମ୍ଭବପର ହୋଇପାରିଛି । ଓଡ଼ିଶାର ଦ୍ରୁତ ପ୍ରଗତି ଓ ଭାରତର ବିକାଶକୁ ଦ୍ରୁତ ବେଗରେ ଆଗକୁ ବଢାଇବା ଦେଶବାସୀ ପ୍ରଧାନମନ୍ତ୍ରୀଙ୍କୁ ଭରସିଛନ୍ତି ।

ଚଳିତଥର ସମ୍ବଲପୁର ଆସନରୁ ଲଢ଼ି ବିଜେଡିର ପ୍ରଣବ ପ୍ରକାଶ ଦାସଙ୍କୁ ପରାସ୍ତ କରିଛନ୍ତି ଧର୍ମେନ୍ଦ୍ର । ଓଡ଼ିଶାରେ ବିଜେପି ସ୍ଥିତି ମଜଭୁତ ହେବା ପଛରେ ମଧ୍ୟ ଧର୍ମେନ୍ଦ୍ରଙ୍କର ବଡ଼ ଯୋଗଦାନ ରହିଛି । ପୂର୍ବରୁ ମୋଦୀ ସରକାରରେ ତାଙ୍କୁ ପେଟ୍ରୋଲିୟମ ଓ ଶିକ୍ଷା ଭଳି ବଡ଼ ଦାୟିତ୍ୱ ଦିଆଯାଇଛି । ତେଣୁ ତୃତୀୟ ପାଳିରେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁ ଦାୟିତ୍ୱ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।