ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । ଚାକିରି ଓ ଶିକ୍ଷା କ୍ଷେତ୍ରରେ ଓବିସି ଓ ଏସଇବିସିଙ୍କ ପାଇଁ ରଖାଯାଉ ଅଧିକ ସଂରକ୍ଷଣ, ତୁରନ୍ତ ପଦକ୍ଷେପ ନେବାକୁ କଲେ ଦାବି ।

555

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଓବିସି ଓ ଏସଇବିସି ବର୍ଗ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଅଧିକ ସ୍ଥାନ ସଂରକ୍ଷଣ ପାଇଁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର । ସଂରକ୍ଷଣ ନେଇ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ଧର୍ମେନ୍ଦ୍ର ।

ଏହାସହ ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର ମୋଟ ଜନସଂଖ୍ୟାର ପ୍ରମୁଖ ଅଂଶ ହେଉଛି ଓବିସି ଓ ଏସଇବିସି ବର୍ଗ । ଏହାସତ୍ତ୍ୱେ ମଧ୍ୟ ଓବିସି ଓ ଏସଇବିସି ବର୍ଗଙ୍କୁ ରାଜ୍ୟ ସରକାର କାହିଁକି ଉପଯୁକ୍ତ ସଂରକ୍ଷଣ ଦେଉନାହାନ୍ତି ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର । ପଛୁଆବର୍ଗ କମିଶନ ଗଠନ କରିବା ବଦଳରେ ଜନଗଣନାରେ ପଛୁଆ ଜାତି କଥା କହିବା ରାଜ୍ୟ ସରକାରଙ୍କର ଓବିସି ଓ ଏସଇବିସି ପାଇଁ ପ୍ରତିବଦ୍ଧତା ନଥିବାର ପ୍ରମାଣ ଦେଉଛି ।

କେନ୍ଦ୍ର ସରକାର ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି । ଏହାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି । ଦେଶରେ ଏହି ନିୟମ ଦୀର୍ଘ ୩୦ ବର୍ଷ ଧରି ଲାଗୁ ହେବା ପରେ ମଧ୍ୟ ଓଡିଶା ସରକାର ଓବିସିଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଓ ଏସଇବିସିଙ୍କୁ ଶିକ୍ଷା କ୍ଷେତ୍ରରେ କଣ ପାଇଁ ସଂରକ୍ଷଣ ଦେଉନାହାନ୍ତି ତାହା ଚିଠିରେ ଉଲ୍ଲେଖ କରିଛନ୍ତି ।

ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୁନ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଭଳି ରାଜ୍ୟ ଗୁଡିକରେ ଜନସଂଖ୍ୟାରେ ଥିବା ଜାତି ଆଧାରରେ ଅଧିକ ଭାଗ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । କିନ୍ତୁ ଓଡିଶାରେ ଏହା ଏଯାଏଁ ଲାଗୁ ହୋଇପାରିନି । ଓଡିଶାରେ ଓବିସି ଓ ଏସଇବିସି ସଂଖ୍ୟା ଅଧିକ ଥିବା ସତ୍ତ୍ୱେ ମଧ୍ୟ ଜନସଂଖ୍ୟା ଅନୁସାରେ ସେମାନଙ୍କୁ ସଂରକ୍ଷଣରୁ ବଞ୍ଚିତ କରାଯାଇଛି । ତେଣୁ ନିଜର ଅପାରଗତାକୁ ଲୁଚାଇବା ପାଇଁ ଜନସଂଖ୍ୟା ଗଣନାରେ ଜାତି କଥା ଉଠାଉଛନ୍ତି ରାଜ୍ୟ ସରକାର । ତେଣୁ ସରକାର ତୁରନ୍ତ ସକାରତ୍ମକ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ଧର୍ମେନ୍ଦ୍ର ।