କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଭୁବନେଶ୍ୱରରେ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ଲାଗି କଲେ ଅନୁରୋଧ ।

148

କନକ ବ୍ୟୁରୋ: ଦେଶରେ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ(ଏନଆଇଭି) ପ୍ରତିଷ୍ଠା କରିବା ପାଇଁ ଚଳିତ ସାଧାରଣ ବଜେଟରେ ଘୋଷଣା କରାଯାଇଥିବା ବେଳେ ଏଥିମଧ୍ୟରୁ ଗୋଟିଏ ସଂସ୍ଥାନ ଭୁବନେଶ୍ୱରରେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଦେଶର ଆୟୁର୍ବିଜ୍ଞାନ ଏବଂ ବିକାଶ ସଂସ୍ଥାନ ଯଥା ପୁନେସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ କରୋନା ମହାମାରୀ ସହ ଲଢିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହିପରି ଭୂତାଣୁ ଉତ୍ପନ୍ନ ହେବାର ସମ୍ଭାବନା ରହିଛି । ତେଣୁ ମାନବ ସମାଜକୁ ପ୍ରଭାବିତ କରୁଥିବା କରୋନା ମହାମାରୀ ଭଳି ଭୂତାଣୁ ଗୁଡିକ ସହ ଲଢିବା ପାଇଁ ପଦକ୍ଷେପ ସ୍ୱରୂପ ଚଳିତ ସାଧାରଣ ବଜେଟରେ ଦେଶରେ ଅତିରିକ୍ତ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରାଯାଇଛି ।

ପୂର୍ବ ଭାରତରେ ଆୟୁର୍ବିଜ୍ଞାନ ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ଭୁବନେଶ୍ୱର ଏକ ପ୍ରମୁଖ ସହର ଭାବରେ ଉଭା ହୋଇଛି । ଭୁବନେଶ୍ୱରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ), ଜୀବ ବିଜ୍ଞାନ ସଂସ୍ଥାନ(ଆଇଏଲଏସ), ଆଇସିଏମଆର-ଆଂଚଳିକ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର ଏବଂ ଇଂଟରନ୍ୟାସନାଲ ସେଂଟର ଫର୍ ଫୁଟ୍ ଏଣ୍ଡ ମାଉଥ୍ ଡିଜିଜ୍(ଆଇସିଏଆର-ଆଇସିଏଫଏମଡି) ଭଳି ବିଶ୍ୱସ୍ତରୀୟ କେନ୍ଦ୍ର ରହିଛି । ତେଣୁ ଭୌଗଳିକ ଅବସ୍ଥିତି ଏବଂ ଦକ୍ଷପୂର୍ଣ୍ଣ ମାନବସମ୍ବଳ ଦୃଷ୍ଟିକୋଣରୁ ଭୁବନେଶ୍ୱର ପ୍ରସ୍ତାବିତ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ମଧ୍ୟରୁ ଗୋଟିଏ ପ୍ରତିଷ୍ଠା ହେବାର କ୍ଷମତା ରଖିଛି । ଭୁବନେଶ୍ୱରରେ ଏହି ସଂସ୍ଥାନ ପ୍ରତିଷ୍ଠା ହେଲେ ଗବେଷଣା ଓ ବିକାଶ କେନ୍ଦ୍ରକୁ ସହଯୋଗୀ ହେବ ଏବଂ ମିଳିତ ଭାବରେ ଗବେଷଣା କରାଯାଇପାରିବ । ଏହାସହ ଏହି ସଂସ୍ଥାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ମିଶନ ପରିକଳ୍ପନାର ଅଂଶବିଶେଷ ହେବା ସହ ପୂର୍ବ, ଦକ୍ଷିଣ-ପୂର୍ବ ଏବଂ ଭାରତର କେନ୍ଦ୍ରାଂଚଳ ରାଜ୍ୟ ଗୁଡିକର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କହିଛନ୍ତି ।

ସେହିପରି କରୋନା ଭାଇରସ ବିରୋଧୀ ମୁକାବିଲାରେ ଭାରତର ସଫଳ ପରିଚାଳନା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ କେବଳ କରୋନା ମହାମାରୀ ସଂକଟରୁ ମୁକ୍ତ ହୋଇନାହିଁ ବରଂ ବିଶ୍ୱର କୋଣ ଅନୁକୋଣକୁ ମଧ୍ୟ ଟିକା ରପ୍ତାନୀ କରିଛି । ତେଣୁ ଉପରୋକ୍ତ ତଥ୍ୟ ଆଧାରରେ କେନ୍ଦ୍ରମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଦେଶରେ ପ୍ରସ୍ତାବିତ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ମଧ୍ୟରୁ ଗୋଟିଏ ଭୁବନେଶ୍ୱର ଠାରେ ପ୍ରତିଷ୍ଠା କରିବା ପାଇଁ  ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।