କନକ ବ୍ୟୁରୋ: ଏମିତି ହୁଏନି ମେଟ୍ରୋ ପ୍ରକଳ୍ପ, ମେଟ୍ରୋ ପାଇଁ ସଠିକ୍ ପ୍ରୟାସ ଆବଶ୍ୟକ । ରାଜ୍ୟ ସରକାର ଭୁବନେଶ୍ୱରରୁ କଟକ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସହାୟତାରେ ଏହି କାର୍ଯ୍ୟ ଚାଲିଛି । କିନ୍ତୁ ରାଜ୍ୟ ସରକାରଙ୍କ ଏହି ପକଳ୍ପକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ୪-୫ଜଣ ବାବୁ ଆସି ଦେଖିଦେଇଗଲେ ମେଟ୍ରୋ ହୋଇଯାଏନି । ମାଟିର ଅନୁଧ୍ୟାନ କଲେ କଣ ମେଟ୍ରୋ ହୋଇଯାଏ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମେଟ୍ରୋ ପାଇଁ ରାଜ୍ୟ ସରକାର ଭାରତ ସରକାରଙ୍କ ସହ ଆଲୋଚନା କରିନାହାନ୍ତି । ତେଣୁ ମେଟ୍ରୋ ପ୍ରକଳ୍ପ ପାଇଁ ସଠିକ୍ ପ୍ରୟାସ ଆବଶ୍ୟକ ।

Advertisment

କେବଳ ଏତିକି ନୁହେଁ ମଞ୍ଚରେ ଉପସ୍ଥିତ ଥିବା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଇଙ୍ଗିତ କରି, ଷ୍ଟେସନ ଆଗରେ ପାଣି ଜମୁଥିବା କଥା କହିଛନ୍ତି ଧର୍ମେନ୍ଦ୍ର । ଏବଂ ରାସ୍ତାର ମରାମତି କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ଧର୍ମେନ୍ଦ୍ରଙ୍କ ଅଭିଯୋଗ ପରେ ଜବାବ ରଖିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା । କହିଛନ୍ତି, ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ କାମ ଆରମ୍ଭ ହୋଇସାରିଛି । ଖୁବଶୀଘ୍ର ସାଧାରଣ ଲୋକ ଏହାର ସେବା ପାଇବେ ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ କଟକର ତ୍ରିଶୁଳିଆ ମଧ୍ୟରେ ମେଟ୍ରୋ ଚଳାଇବା ପାଇଁ ନିଷ୍ପତି ନିଆଯାଇଛି । ମେଟ୍ରୋ ପାଇଁ ମାଟି କେତେ ଉପଯୁକ୍ତ ଅଛି, ବୈଷୟିିକ ଟିମ୍ ସହାୟତାରେ ତାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ତ୍ରିଶୁଳିଆରୁ- ରାଜଭବନ ଛକ ଭିତରେ ଏକାଧିକ ସ୍ଥାନରୁ ମାଟି ନମୁନା ସଂଗ୍ରହ କରି ଅନୁଧ୍ୟାନ ପାଇଁ ପଠାଯାଇଛି । ପ୍ରାରମ୍ଭିକ କାମ ସରିବା ପରେ ସର୍ଭେ ରିପୋର୍ଟ ଆଧାରରେ ପ୍ରସ୍ତୁତ ହେବ ଡିପିଆର । ତେବେ ଏଭଳି ସମୟରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ଉଠାଇବା ଅନେକ ସନ୍ଦେହ ସୃଷ୍ଟି କରିଛି ।