ଜିଏସଟିକୁ ନେଇ ରାହୁଲ ଧର୍ମେନ୍ଦ୍ର ମୁହାଁମୁହିଁ । ଧର୍ମେନ୍ଦ୍ର କହିଲେ, ନୁଆ ଯୋତା ଫିଟିଂ ହେଲା ଯାଏଁ ପାଦକୁ କାଟେ ।

66

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବୟାନ ଜିଏସଟି ବା ‘ଗବର ସିଂହ ଟାକ୍ସ’ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଧ୍ୟପ୍ରଦେଶ ଗସ୍ତରେ ଯାଇଥିବା ଧର୍ମେନ୍ଦ୍ର, ରାହୁଲଙ୍କ ନାଁ ନନେଇ କହିଛନ୍ତି, ଦେଶକୁ ବରବାଦ କରିଥିବା ଲୋକେ ଶୁଖିଲା ଲୁହ ଗଡାଉଛନ୍ତି । ସେ ସମାଲୋଚନା କରି କହିଛନ୍ତି ଯେଉଁମାନେ ଦେଶର ରାଜନୀତି ଜାଣନ୍ତି ନାହିଁ,ବୁଝନ୍ତି ନାହିଁ ସେମାନେ ସେହିଭଳି ଆରୋପ କରିଥାନ୍ତି । ସେମାନେ ପିଢୀ ପରେ ପିଢୀ ଶାସନ କରି ଦେଶକୁ ବରବାଦ କରିଛନ୍ତି ଆଉ ଆଜି ଲୁହ ଗଡାଉଛନ୍ତି । ଲୋକମାନେ ସେମାନଙ୍କୁ ଭଲ ଭାବରେ ଚିହ୍ନିସାରିଛନ୍ତି ବୋଲି କହି ଧର୍ମେନ୍ଦ୍ର କଟୁ ସମାଲୋଚନା କରିଛନ୍ତି । ଏହା ବ୍ୟତୀତ ଧର୍ମେନ୍ଦ୍ର ଜିଏସଟି ଉପରେ କହି ଜୋତା ସହ ତୁଳନା କରିଥିଲେ । ସେ କହିଥିଲେ ନୂୂଆ ଜୋତା ତିନିଦିନ ପର୍ଯ୍ୟନ୍ତ ପାଦକୁ କାଟିଥାଏ, ତାପରେ ଠିକ ହୋଇଯାଇଥାଏ । ସେହିଭଳି କିଛି ଦିନ ମଧ୍ୟରେ ଜିଏସଟିକୁ ବ୍ୟବସାୟୀମାନେ ଆପଣାଇ ନେବେ ।

ଗତକାଲି ଗୁଜରାଟର ଗାନ୍ଧୀନଗର ଠାରେ ଆୟୋଜିତ ସଭାରେ ଜିଏସଟିକୁ ‘ଗବର ସିଂ ଟ୍ୟାକ୍ସ’ ବୋଲି କହିଥିଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି ସେ ଏଭଳି କହିଥିଲେ । ଜିଏସଟିକୁ କଂଗ୍ରେସ ସରକାର ସମୟରେ ଅଣାଯାଇଥିଲା । କିନ୍ତୁ ସେତେବେଳେ ଏହାକୁ ବିଜେପି ବିରୋଧ କରିଥିଲା । କଂଗ୍ରେସ ସରକାର ସମୟରେ ଆସିବାକୁ ଥିବା ଜିଏସଟିରେ ସମସ୍ତ ପ୍ରକାର ସମସ୍ୟାର ସମାଧାନ ପାଇଁ ବାଟ ରହିଥିଲା । ଜିଏସଟିର ଲକ୍ଷ୍ୟ ଥିଲା ସମଗ୍ର ଦେଶରେ ଏକକ ଟ୍ୟାକ୍ସର ପ୍ରଚଳନ । ଏଥିପାଇଁ କଂଗ୍ରେସ ସରକାର ଜିଏସିଟି ପାଇଁ ୧୮% ଟ୍ୟାକ୍ସ ନିର୍ଦ୍ଧାରଣ କରିଥିଲେ ।

କିନ୍ତୁ ମୋଦି ସରକାର କଂଗ୍ରେସର ଏହି ଯୋଜନାକୁ ହାଇଜାକ କରି ବାହାବା ନେବାରେ ବ୍ୟସ୍ତ । ଏପରିକି ଏକକ ଟ୍ୟାକ୍ସ ବଦଳରେ ଜିଏସଟି ବିଲରେ ୫ଟି ଟ୍ୟାକ୍ସ ଆଣିଛନ୍ତି । ଯାହାକି କ୍ଷୁଦ୍ର ବ୍ୟବସାୟୀଙ୍କୁ ବିଶେଷ ଭାବେ ପ୍ରଭାବିତ କରୁଛି। ଏପରିକି ବ୍ୟବସାୟୀ ମାନେ ମଧ୍ୟ ଜିଏସଟି ବିଲକୁ ଏପଯ୍ୟନ୍ତ ଠିକ୍ ଭାବେ ବୁଝି ପାରି ନାହାନ୍ତି । ଯାହାଫଳରେ ବ୍ୟବସାୟୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଧାରଣ ଲୋକ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି ବୋଲି ରାହୁଲ କହିଥିଲେ ।