ନବୀନଙ୍କ ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ କଲେ ଧର୍ମେନ୍ଦ୍ର । ପ୍ରେସମିଟ୍ କରି ଜବାବ ରଖିଲା ବିଜେଡି ।

83

କନକ ବ୍ୟୁରୋ: ପଦ୍ମପୁରବାସୀଙ୍କୁ ନବୀନଙ୍କ ପ୍ରତିଶ୍ରୁତି ପରେ ପୁଣିଥରେ ଆରମ୍ଭ ହୋଇଛି ବୟାନବାଜୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ୨୨ ବର୍ଷର ହିସାବ ମାଗିଛନ୍ତି । ଆଉ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ ପରେ ଉତ୍ତର ରଖିଛି ବିଜେଡି ।

  • ଜବାବ ମାଗିଲେ ଧର୍ମେନ୍ଦ୍ର
  • ନବୀନଙ୍କ ପ୍ରତିଶ୍ରୁତି ପରେ ଧର୍ମେନ୍ଦ୍ର ପ୍ରଶ୍ନ

ପଦ୍ମପୁର ପ୍ରଚାର ସଭାରୁ ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ ପ୍ରତିଶ୍ରୁତି ଦେବା ପରେ, ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗି ପଚାରିଛନ୍ତି, ଆପଣ ତ ୨ ବର୍ଷ ହେଲା ବିଧାନସଭାରୁ ଛୁଟି ନେଇ ବସିଥିଲେ । ପଦ୍ମପୁରର ବିଜୟ ହେଲା ଆପଣଙ୍କୁ ପ୍ରଜା ପାଖକୁ ଆସିବାକୁ ପଡିଲା । ଏବେ କହିଲେ ସବୁ କାମ କରିଦେବେ । ହେଲେ ୨୨ବର୍ଷର ହିସାବ କୁଆଡେ ଗଲା? ପ୍ରଦୀପଙ୍କ ସମୟରେ ଜିଲ୍ଲା ଦାବି ନେଇ ଯାଇଥିଲେ । ଆପଣ ସେତେବେଳେ କହିଥିଲେ ଖୁବଶୀଘ୍ର ହେବ, ଏବେ କହୁଛନ୍ତି ୨୦୨୩ରେ ହେବ । ବିଧାନସଭାରେ ମନ୍ତ୍ରୀ କହୁଛନ୍ତି ନୂଆ ଜିଲ୍ଲା ଗଠନ ନେଇ କୌଣସି ପ୍ରସ୍ତାବ ନାହିଁ, କିନ୍ତୁ ଆପଣ ପ୍ରତିଶ୍ରୁତି ଦେଉଛନ୍ତି । ଯାହା ମିଛ ପ୍ରତିଶ୍ରୁତି । ରେଳ ଭିତ୍ତିଭୂମି ରାଜ୍ୟ ସରକାରଙ୍କ ଅଧିନରେ ଥିବା ସଂସ୍ଥାକୁୁ କାମ ଦିଆଯାଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ତାର ଅଧ୍ୟକ୍ଷ ଅଛନ୍ତି । କେନ୍ଦୁପତ୍ର ଉପରୁ ଜିଏସଟି ଛାଡ କରିବା କଥା ଜିଏସଟି କାଉଁନସିଲରେ କାହିଁକି ଉଠାଉ ନାହାନ୍ତି?

  • ଧମେନ୍ଦ୍ରଙ୍କ ପ୍ରଶ୍ନ, ବିଜେଡିର ଉତ୍ତର
  • ‘କେନ୍ଦ୍ରୀୟ ଅବହେଳାକୁ ଅଣଦେଖା କରିଛନ୍ତି ମନ୍ତ୍ରୀ’

କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିବା ପରେ ଜବାବ ଦେଇଛି ବିଜେଡି । ସାଂସଦ ସସ୍ମିତ ପାତ୍ର ପ୍ରେସମିଟ୍ କରି କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ଅବହେଳାକୁ ଅଣଦେଖା କରି ମୁଖ୍ୟମନ୍ତ୍ରୀଙ୍କ ବହୁ ଲାଭଦାୟକ କାର୍ଯ୍ୟକ୍ରମକୁ ନିନ୍ଦା କରିବା ଅତ୍ୟନ୍ତ ଲଜ୍ଜାଜନକ । କେନ୍ଦୁପତ୍ରରେ ୧୮ପ୍ରତିଶତ ଜିଏସଟି କେନ୍ଦ୍ର ସରକାର ନେଉଛନ୍ତି । ଯେଉଁଥିପାଇଁ ବହୁ ଗରିବ ଲୋକ ହନ୍ତସନ୍ତ ହେଉଛନ୍ତି । ପଦ୍ମପୁର ରେଳ ଲାଇନ ପାଇଁ ରାଜ୍ୟ ସରକାର ମାଗଣା ଜମି ସହ ୩ ଶହ କୋଟି ଟଙ୍କାର ଅନୁଦାନ ଦେବା ପାଇଁ ଘୋଷଣା କରିଛନ୍ତି । କିନ୍ତୁ କେନ୍ଦ୍ର ଏପର୍ଯ୍ୟନ୍ତ ଏନେଇ କୌଣସି କାର୍ଯ୍ୟ କରିନାହିଁ । ଏହା କଣ କେନ୍ଦ୍ରର ଅବହେଳା ନୁହେଁ?

ପଦ୍ମପୁର ଯାଇ ନବୀନ ବିଭିନ୍ନ ପ୍ରତିଶ୍ରୁତି ଦେବା ପରେ କଂଗ୍ରେସ ମଧ୍ୟ ପ୍ରଶ୍ନ ଉଠାଇଛି । ମୁଖ୍ୟମନ୍ତ୍ରୀ ନିର୍ବାଚନ ସମୟରେ କାହିଁକି ପ୍ରତିଶ୍ରୁତି ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ତେବେ ୨୦୨୩ରେ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରାଯିବା ନେଇ, ନିର୍ବାଚନୀ ସଭାରୁ ଶୁକ୍ରବାର ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି କେନ୍ଦୁପତ୍ର ଉପରେ ୧୮ପ୍ରତିଶତ ଜିଏସଟି ଆଦାୟ ଓ ରେଳ ପକଳ୍ପକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଥିଲେ ନବୀନ ।