କନକ ବ୍ୟୁରୋ: ରାଜ୍ୟରେ ହୋଇପାରେ ଆଗୁଆ ନିର୍ବାଚନ । ଚର୍ଚ୍ଚା ବଢ଼ାଇଲା ଧର୍ମେନ୍ଦ୍ରଙ୍କ ବୟାନ । ପଦ୍ମପୁର ଉପନିର୍ବାଚନରେ ବିଜୟ ପରେ ବିଜେଡି ୨୦୨୪ ନିର୍ବାଚନ ବିଜୟର ସ୍ୱପ୍ନ ଦେଖିବା ଆରମ୍ଭ କରିଛି । ଆଗାମୀ ଦିନରେ ବିଜୟଧାରାକୁ କେମିତି ବଜାୟ ରଖିହେବ ସେଥିପାଇଁ ରଣନୀତି କରୁଛି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାରୁ ଭରପୁର ଫାଇଦା ଉଠାଇବାକୁ ଚାହୁଁଛି ଶାସକ ଦଳ । ଆଉ ଏତିକିବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିସ୍ଫୋରକ ବୟାନ ଦେଇଛନ୍ତି । କହିଛନ୍ତି, ରାଜ୍ୟରେ ଆଗୁଆ ନିର୍ବାଚନ ହେବ ବୋଲି ଶୁଣାଯାଉଛି । ହେଲେ, ନିର୍ବାଚନ ବହୁତ ଦିନ ଅଛି ବହୁତ କଥା ହେବ । ମୋଦୀଙ୍କୁ ଲୋକ ଅଧିକ ପସନ୍ଦ କରୁଛନ୍ତି, ଆଗକୁ ବି କରିବେ ।

Advertisment

ରାଜ୍ୟରେ ଆଗୁଆ ନିର୍ବାଚନ ହୋଇପାରେ ବୋଲି କିଛି ମାସ ହେବ ଚର୍ଚ୍ଚା ହେଉଛି । ପଂଚାୟତ ନିର୍ବାଚନ ପରେ ଏହି ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ଯେତେବେଳେ ପଦ୍ମପୁର ନିର୍ବାଚନ ଶେଷ ହୋଇଛି , ବିଜେଡି ବିପୁଳ ଭୋଟରେ ବିଜୟୀ ହୋଇଛି, ସେତେବେଳେ ଧର୍ମେନ୍ଦ୍ରଙ୍କ ବୟାନ ରାଜ୍ୟ ରାଜନୀତିକ ଉଷ୍ଣ କରିଛି ।

୨୦୨୪ରେ ବିଜେଡିର ମିଶନ ୧୨୫ । ବିଜେପିର ଟାର୍ଗେର୍ଟ ଦୁଇ ତୃତୀୟାଂଶ । କଂଗ୍ରେସର ଲକ୍ଷ୍ୟ ୬୦ରୁ ୬୫ ଆସନ । ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ, ଆଗାମି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ଏନେଇ ସୂଚନା ଦେଇ ବିଜେଡି ବିଧାୟକ ସୁଶାନ୍ତ ସିଂ କହିଛନ୍ତି, ୨୦୨୪ରେ ମିଶନ ୧୨୫ର ଲକ୍ଷ୍ୟ ନେଇ ଆଗଉଛି ଦଳ । ୧୪୭ ଆସନରୁ ୧୨୫ ଆସନରେ ଜିତିବ ବିଜେଡି । ବିଶେଷ କରି ପଶ୍ଚିମଓଡିଶାରୁ ୩୬ ଆସନରୁ ୩୦ରୁ ଅଧିକ ଆସନରେ ବିଜେଡିର ବିଜୟ ହେବ । ବିଜେଡିର ଏହି ଦାବିକୁ ଗ୍ରହଣ କରିନାହାଁନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ରାଜନୈତିକ ଦଳ ଭିତରେ ମିଶନ ରଖିବା କିଛି ବଡ କଥା ନୁହେଁ । ବିଜେପିର ଫୋକସ ୧୪୭ । ଦୁଇ ତୃତୀୟାଂଶ ଆସନ ପାଇ ସରକାର ଗଢ଼ିବ ବିଜେପି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ବିଜେଡି ୧୨୫ ଜିତିବନି, ୩୦ ରୁ ୩୫ ଭିତରେ ରହିବ । କଂଗ୍ରେସ ୬୦ ରୁ ୬୫ ଆସନ ଜିତିବ ।

ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ଥିବାରୁ କେନ୍ଦ୍ରର ଶାସକ ଦଳ ବିଜେପି ଆଗୁଆ ନିର୍ବାଚନ କରି କ୍ଷମତାରେ ରହିବାକୁ ଯୋଜନା କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆଉ ଯଦି କେନ୍ଦ୍ର ସରକାର ସମୟ ସରିବା ଆଗରୁ ଆଗୁଆ ନିର୍ବାଚନ ମଇଦାନକୁ ଓହ୍ଲାଇବେ, ତା ହେଲେ ଓଡିଶାରେ ମଧ୍ୟ ଆଗୁଆ ନିର୍ବାଚନ ହୋଇପାରେ । ଅର୍ଥାତ ୨୦୦୪ ଭଳି ପୁଣି ଥରେ ଆଗୁଆ ନିର୍ବାଚନ ହୋଇପାରେ ।