ଭାରତ ବନ୍ଦ ଡାକରା ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । କହିଲେ, କୁମ୍ଭୀର କାନ୍ଦଣା କାନ୍ଦିବା ସହ ବିରୋଧ କରିବା ପାଇଁ ବିରୋଧ କରୁଛି କଂଗ୍ରେସ 

247
କନକ ବ୍ୟୁରୋ : ଭାରତ ବନ୍ଦ ଡ଼ାକରାରେ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି । ଏହାସହ ବିରୋଧ କରିବା ପାଇଁ ବିରୋଧ କରୁଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଭାରତ ବନ୍ଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଚାଷୀ ଏବଂ ଶ୍ରମିକଙ୍କ ପାଇଁ ନୂଆ ଆଇନ ଆଣିଥିବା ବେଳେ ଏହାକୁ ବିରୋଧ କରୁଛନ୍ତି ଚାଷୀ ଓ ଶ୍ରମିକ ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଜାତନ୍ତ୍ରରେ ଏହା ହିଁ ବିଶେଷତା  । ସମସ୍ତଙ୍କ ନିଜର ମନ୍ତବ୍ୟ ଓ ଦାବୀ ଜଣାଇବାର ଅଧିକାର ରହିଛି । ସମ୍ବିଧାନର ଏହା ହିଁ ଉପଲବ୍ଧି । ମୋଦି ସରକାର କୃଷି ଆଇନରେ ଆଣିଥିବା ସଂସ୍କାର ଦ୍ୱାରା କୃଷିର ବ୍ୟାପକ ବିକାଶ ଓ ଉନ୍ନତି ହେବ  । ତେବେ ଆଜି ଯେଉଁ ପ୍ରସଙ୍ଗ ଗୁଡ଼ିକୁ ବିରୋଧ କରାଯାଉଛି ଏହି ଛଳନାକୁ ଭାରତର ଲୋକମାନେ ବିଶ୍ୱାସ କରିବେନି  । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାରତର ଲୋକମାନେ ସମର୍ଥନ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର କୃଷି ସମେତ ଶ୍ରମିକଙ୍କ କଲ୍ୟାଣ ପାଇଁ ଅନେକ ନୀତିରେ ସୁଧାର ଆଣିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଥିବା ଦିନ ମଜୁରିଆ, ଖଟିଖିଆ ଏବଂ ଅସ୍ଥାୟୀ ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ମିଳିବାର ଅଧିକାର ଦେବା ସହ ସେମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ଦିଆଯିବାର ବ୍ୟବସ୍ଥା କରିଛନ୍ତି । ଏହାସହ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଅଧିକାରର ମଧ୍ୟ ଦିଆଯାଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ତେବେ ଯେଉଁମାନେ ଦେଶ ଓ ରାଜ୍ୟକୁ ଲମ୍ବା ସମୟ ଧରି ଶାସନ କଲେ ଏବଂ ଦେଶକୁ ପଛକୁ ନେଇଗଲେ ସେମାନଙ୍କ ପାଖରେ କୌଣସି ରାଜନୈତିକ ପ୍ରସଙ୍ଗ ନାହିଁ  । ସେମାନେ କେବଳ ବିଷୟକୁ ନବୁଝି ବିରୋଧ ଛଳରେ ବିରୋଧ କରିବା ସହ ବାଚାଳାମୀ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି  ।