ବିଜେପୁରରୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ: ହିଞ୍ଜିଳି ନଛାଡି କାହିଁକି ଛାଡିଲେ ବିଜେପୁର…?

821

କନକ ବ୍ୟୁରୋ: ପୂଜା ପରେ ବିଜେପୁରରେ ବଢିଛି ରାଜନୈତିକ ତାତି । ପ୍ରଖର ହୋଇଛି ପ୍ରାର୍ଥୀଙ୍କ ପାଇଁ ପ୍ରଚାର । ଉପନିର୍ବାଚନକୁ ଆଉ ମାତ୍ର ୧୦ଟି ଦିନ ଥିବାରୁ ବିଜେପୁର ଦଖଲ ପାଇଁ ଅଣ୍ଟା ଭିଡିଛନ୍ତି ୩ ଦଳର ନେତା । ରାଜ୍ୟର ଅବହେଳାକୁ ଲୋକଙ୍କ ପାଖରେ ରଖି ଜାତୀୟ ଦଳମାନେ ଭୋଟ ଭିକ୍ଷା କରୁଥିବା ବେଳେ ନିଜ ସଫଳତା ଆଉ କେନ୍ଦ୍ର ଅବହେଳାର ଚିତ୍ର ଆଙ୍କି ଲୋକଙ୍କ ଭରସାଯୋଗ୍ୟ ହେବାକୁ ଚେଷ୍ଟା କରୁଛି ଆଞ୍ଚଳିକ ଦଳ ।

ତେବେ ୟାରି ଭିତରେ ଆଜି ବିଜେପୁରର ପ୍ରଚାର ମୈଦାନକୁ ଓହ୍ଲାଇଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରଚାର ଆରମ୍ଭ କରିଛନ୍ତି । ଗାଇସିଲଟ ବ୍ଲକ ତଳପାଲିରୁ ଧର୍ମେନ୍ଦ୍ର ପ୍ରଚାର ଆରମ୍ଭ କରିଥିବା ବେଳେ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସିଧା ପ୍ରଶ୍ନ କରିଛନ୍ତି ।

ବିଜେପୁରବାସୀଙ୍କୁ ଭରସା ଦେଇ ନବୀନ ସେମାନଙ୍କ ଭରସା ଭାଙ୍ଗିଥିବା ଧର୍ମେନ୍ଦ୍ର ନିଶାନା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ହିଂଜିଳି ନଛାଡି କାହିଁକି ବିଜେପୁର ଛାଡିଲେ ବୋଲି ଧର୍ମେନ୍ଦ୍ର ବିଜେପୁରରୁ ପ୍ରଶ୍ନ କରିଛନ୍ତି । ସେହିପରି ବିଜେପୁରର ବିକାଶ ଦାୟିତ୍ୱ ନିଜେ ମୁଖ୍ୟମନ୍ତ୍ରୀ ନେଇଛନ୍ତି ବୋଲି କହିଥିଲେ, ହେଲେ କେଉଁ ଦାୟିତ୍ୱ ସେ ନେଲେ ଆଉ କଣ ବିକାଶ କଲେ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବିଜେପୁରବାସୀ ଡାକ୍ତର ସ୍ୱପ୍ନ ଦେଖିଥିଲେ, ପିଇବା ପାଣି, ଘର ଘରକୁ ବିଜୁଳି ଆଉ ବେରୋଜଗାରଙ୍କୁ ରୋଜଗାର ମିଳିବ ବୋଲି ସ୍ୱପ୍ନ ଦେଖିଥିଲେ । ହେଲେ ନବୀନ ନିର୍ବାଚନ ପରେ କୌଣସି ପ୍ରତିଶ୍ରୁତି ପାଳି ନାହାନ୍ତି ବରଂ ବିଜେପୁରବାସୀଙ୍କୁ ପ୍ରତାରିତ କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ସେପଟେ ରାବଣର ଅହଙ୍କାର କଥା ଉଠାଇ ବିଜେଡିକୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ବିଜେପୁରରେ ଏଥର ବିଜେପି ଶହେ ପ୍ରତିଶତ ଭୋଟରେ ଜିତିବ ବୋଲି ଦମ୍ଭୋକ୍ତି ଦେଖାଇଥିବା ବେଳେ ବିଜେପି ଆସିଲେ ବିଜେପୁରକୁ ୨୦୨୨ ସୁଦ୍ଧା ସବୁ ସୁବିଧା ମିଳିବ ବୋଲି ନିର୍ବାଚନୀ ଥୋପ ପକାଇଛନ୍ତି ଧର୍ମେନ୍ଦ୍ର ।