କନକ ବ୍ୟୁରୋ : ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରେ ପିଏମ୍–ଉଷା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦ୍ୱିତୀୟ ଥର ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ଯୋଜନାର ଶୁଭାରମ୍ଭ କରିବାକୁ ଗତ ୧୫ ଜୁନରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ । ପିଏମ ଉଷାର ନୂଆ ପର୍ଯ୍ୟାୟରେ ଓଡିଶା ଏପର୍ଯ୍ୟନ୍ତ ଏମଓୟୁ ସ୍ୱାକ୍ଷର କରିନାହିଁ । ତେଣୁ ପିଏମ ଉଷା ଯୋଜନାର ଲାଭ ନେବାରୁ ଓଡିଶା ଯେପରି ବଞ୍ଚିତ ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସର୍ବବ୍ୟାପି ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ ଦିଗରେ ପିଏମ-ଉଷା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବିଶେଷ କରି ଦୁର୍ଗମ, ଜନଜାତି ଅଧ୍ୟୁଷିତ, ମାଓ ପ୍ରଭାବିତ ଅଞ୍ଚଳରେ ଉଚ୍ଚ ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ତେଣୁ ପିଏମ-ଉଷା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Advertisment

ସେପଟେ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପିଏମ-ଉଷା ଯୋଜନା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିବା ପ୍ରସଙ୍ଗକୁ ନେଇ ରାଜନୈତିକ ବୟାନବାଜି ତେଜିଛି । ବିଜେପି ପ୍ରେସମିଟ କରି କହିଛନ୍ତି, ପିଏମ-ଉଷା ଓଡିଶାରେ କାର୍ଯ୍ୟକାରୀ ହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଧିକ ଲୋକପ୍ରିୟତା ମିଳିଯିବ । ସେହି ଭୟରେ ରାଜ୍ୟ ସରକାର ଲାଗୁ କରୁ ନାହାନ୍ତି । ଏହାର ଜବାବ ଦେଇ ବିଜେଡି କହିଛି, ଓଡିଶା ଶିକ୍ଷାର ହବ ପାଲଟିଛି । ଶିକ୍ଷା କ୍ଷେତ୍ରରେ ଭଲ କାମ ପାଇଁ ଓଡିଶାକୁ କେନ୍ଦ୍ର ସରକାର ପୁରସ୍କୃତ କରୁଛନ୍ତି ।