କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ । ରେଙ୍ଗାଲି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ସହ ୭ ଦଫା ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରେଙ୍ଗାଲି ବହୁମୁଖୀ ନଦୀବନ୍ଧ ଯୋଜନା ରାଜ୍ୟର ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କ୍ଷମତାକୁ ବହୁଗୁଣିତ କରିଥିଲେ ମଧ୍ୟ ଏହି ପ୍ରକଳ୍ପ ବିସ୍ଥାପିତ ହୋଇଥିବା ହଜାର ହଜାର ସ୍ଥାନୀୟ ବାସିନ୍ଦାଙ୍କୁଚିରକାଳ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି ।
ରେଙ୍ଗାଲି ଯୋଜନାରେ ୧୯୭୩ ମସିହାରେ ଅନୁଗୋଳ ଜିଲ୍ଲାର ପାଲଲହଡା, ତାଳଚେର ଏବଂ ଦେବଗଡ଼ ଜିଲ୍ଲାର ମୋଟ ୨୬୩ ଗୋଟି ଗ୍ରାମ ଜଳମଗ୍ନ ହେବା ସହ ପ୍ରାୟ ୧୩ ହଜାର କୁଟୁମ୍ବ ବାସହରା ହୋଇଥିଲେ । ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଅଭାବରୁ ଅନେକଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା । କୌଣସି ସ୍ପଷ୍ଟ ବିସ୍ଥାପନ ନୀତି ନ ଥାଇ କିମ୍ବା କୌଣସି ଗ୍ରାମସଭା, ପଲ୍ଲୀସଭା ଅବା ଜନଶୁଣାଣି କରା ନ ଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ବିସ୍ଥାପନ ପାଇଁ ବାଧ୍ୟ କରାଗଲା । ଏ ଭିତରେ ବ୍ରାହ୍ମଣୀରେ ଅନେକ ପାଣି ବହିଗଲାଣି । ନ୍ୟାୟ ପାଇଁ ଅନେକ ଗଣଧାରଣା, ଅନଶନ, ପ୍ରତିବାଦ ଓ ବିକ୍ଷୋଭ ମଧ୍ୟ ହୋଇଗଲାଣି । ତଥାପି ବିସ୍ଥାପିତଙ୍କ ଅବସ୍ଥାରେ କିଛି ପରିବର୍ତ୍ତନ ଆସିନାହିଁ।
ବିସ୍ଥାପିତଙ୍କ ହକ୍ ପାଇଁ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନ ଏକଦା ଆନ୍ଦୋଳନର ଡାକରା ଦେଇଥିଲେ । ତାଙ୍କ ଅବର୍ତ୍ତମାନରେ ଅନୁରୂପ ବଳିଷ୍ଠ ନେତୃତ୍ୱର ଅଭାବରୁ କ୍ଷତିଗ୍ରସ୍ତଙ୍କୁ ଆଉ ନ୍ୟାୟ ମିଳିଲା ନାହିଁ, ଯାହା ଦୁଃଖର ବିଷୟ। ଗରିବ, ଖଟିଖିଆ, ଚାଷୀ, ପଛୁଆ ବର୍ଗ, ତଥା ଦଳିତ ଓ ଆଦିବାସୀ ଜନସାଧାରଣ ବର୍ଗର ପ୍ରାୟ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ବିସ୍ଥାପିତ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପାଇଁ ସମ୍ବଳ ନ ଥିବାରୁ ଆଜି ନିଜକୁ ଉପେକ୍ଷିତ ଓ ଅପମାନିତ ମଣୁଛନ୍ତି । ଏପରିକି ଗଡ଼ଜାତ ଅଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ଏହା ଚରମ ପ୍ରତିଫଳନ ବୋଲି ମଧ୍ୟ ବିଚାରୁଛନ୍ତି ।
ପାଲଲହଡ଼ା ରେଙ୍ଗାଳି ବିସ୍ଥାପିତ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘର ସଭ୍ୟମାନେ ୭ ଦଫା ଦାବି ନେଇ ରେଙ୍ଗାଲି ଜଳଭଣ୍ଡାର ସଂଲଗ୍ନ ପାଳଲହଡା ଦ୍ଵିତୀୟ ଚିଲିକାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏବେ ଜଳ ସତ୍ୟାଗ୍ରହ କରୁଛନ୍ତି । ଆବଶ୍ୟକ ପଡ଼ିଲେ ଉକ୍ତ ଜଳଭଣ୍ଡାରରେ ସେମାନେ ଜଳସମାଧି ନେବେ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ବିସ୍ଥାପିତମାନଙ୍କ ସମସ୍ତ ଦାବିକୁ ସମ୍ମାନ ଜଣାଇ ଏଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ଆନ୍ତରିକତା ଦେଖାଇବା ସହ ସମୟୋଚିତ ପଦକ୍ଷେପ ଗ୍ରହଣପୂର୍ବକ ବିସ୍ଥାପିତଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାରେ ତତ୍ପରତା ପ୍ରକାଶ କରିବେ ବୋଲି ଧର୍ମେନ୍ଦ୍ର ଆଶାବ୍ୟକ୍ତ କରିଛନ୍ତି ।
ବିସ୍ଥାପିତଙ୍କ ୭ ଦଫା ଗୁଡିକ ହେଲା ଉଚ୍ଚକ୍ଷମତା ସମ୍ପୂର୍ଣ୍ଣ କମିଟିର ସୁପାରିଶ କ୍ରମେ ଏକର ପ୍ରତି ୫୦ ହଜାର ଅନୁକମ୍ପା ମୂଳକ ବନ୍ଧିତ କ୍ଷତିପୂରଣ ଟଙ୍କା ତୁରନ୍ତ ପ୍ରଦାନ କରିବା । ସ୍ଥାୟୀ ପଟ୍ଟା ପ୍ରଦାନ, ଖଣି ଖାଦାନ ଅଂଚଳରେ ବିସ୍ଥାପିତ ପରିବାରର ଜଣେ ସଦସ୍ୟଙ୍କ ସ୍ଥାୟୀ ନିଯୁକ୍ତି, ସମସ୍ତ ବିସ୍ଥାପିତଙ୍କୁ ଗରିବ ଶ୍ରେଣୀ ଭୂକ୍ତ କରାଯାଇ ସେମାନଙ୍କୁ ରାସନ କାର୍ଡ ଏବଂ ସ୍ଵାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯିବା, ରେଙ୍ଗାଲି ପାଓ୍ବାର ହାଉସର ଉତ୍ପାଦିତ ବିଦ୍ୟୁତରୁ ସମସ୍ତ ବିସ୍ଥାପିତଙ୍କୁ ଆଜୀବନ ମାଗଣା ବିଦ୍ୟୁତ ଲାଇନ ଯୋଗାଇବା ସହ ଚକଧର ସମାକୋଇ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି ରହିଛି । ଏହାବ୍ୟତୀତ ବିସ୍ଥାପିତ ହିନ୍ଦୁ ଦେବାଦେବୀ ଓ ସେବକ ପୂଜାରୀଙ୍କ ଚିହ୍ନଟ ପଞ୍ଜିକରଣ, ମନ୍ଦିରର ପୁନରୁଦ୍ଧାର, ଉନ୍ନତି କରଣ ପାଇଁ ସେମାନେ ଦାବି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/2-21.jpg)