ଶ୍ରୀମନ୍ଦିର ବିକାଶ ପାଇଁ ଗଜପତିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ସମର୍ପଣ ନିଧି ସଂଗ୍ରହ ଅଭିଯାନ ନିଜ ମାର୍ଗଦର୍ଶନରେ କରିବାକୁ କଲେ ଅନୁରୋଧ ।

169

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ମହତ କାର୍ଯ୍ୟରେ ଶ୍ରମଦାନ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ତଥା ବିଶେଷ ଭାବରେ ସାଢେ ୪ କୋଟି ଓଡିଆ ସାମିଲ ହେବାକୁ ଇଚ୍ଛା ରଖିଛନ୍ତି । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା ତିଆରି କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପତ୍ର ଲେଖି ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗଜପତି ମହାରାଜାଙ୍କୁ ଲେଖିଥିବା ଚିଠିରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ସଂରକ୍ଷଣ କରିବା ତଥା ସେବାୟତଙ୍କ ସାମଗ୍ରିକ ବିକାଶ, ଶ୍ରଦ୍ଧାଳୁଙ୍କ କଲ୍ୟାଣ ପାଇଁ ମହାରାଜା ଦିବ୍ୟସିଂହ ଦେବ ନିରନ୍ତର ଉଦ୍ୟମ କରି ଆସୁଛନ୍ତି । ଅନାଦି ଅନନ୍ତ କାଳରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ତାଙ୍କର ପବିତ୍ରତା ସହିତ ସଂଶ୍ଲିଷ୍ଟ ସବୁକିଛି ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପରିଚୟର ମୂଳବିନ୍ଦୁ । ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକଙ୍କ ଦେବତା । ପ୍ରତି ବ୍ୟକ୍ତିର ହୃଦୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ । ତେଣୁ ସମଗ୍ର ହିନ୍ଦୁ ସମାଜ ଓ ସାଢେ ୪ କୋଟି ଓଡିଆଙ୍କ ମନରେ ମହାପ୍ରଭୁଙ୍କ କାମରେ ସହଯୋଗ କରିବା ନେଇ ଅଦମ୍ୟ ଉତ୍ସାହ ରହିଛି । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଏହି ବିଶାଳ ଧନ ସଂଗ୍ରହ ଅଭିଯାନର ସହଯୋଗର ପ୍ରକ୍ରିୟାକୁ ଜନଆନ୍ଦୋଳନ ଭାବରେ ପରିଣତ କରିବା ଏବଂ ଲୋକଙ୍କୁ ଏଥିରେ ଭାଗିଦାରୀ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଅନୁରୋଧ କରିଛନ୍ତି ।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିକଟରେ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରର ବିକାଶ ପାଇଁ ନିଜ ଦରମାରୁ ୧ ଲକ୍ଷ ସହଯୋଗ ରାଶି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଥିଲେ । ଏ ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମହାପ୍ରଭୁଙ୍କ ସେବା କରିବାର ସୁଯୋଗର ଅନୁଭବକୁ ଶବ୍ଦରେ ବର୍ଣ୍ଣନା କରିବା ମୋ ପାଇଁ ସମ୍ଭବ ନୁହେଁ । ତେବେ ପ୍ରତ୍ୟେକ ହିନ୍ଦୁ ବିଶେଷ ଭାବରେ ଓଡ଼ିଆ ଲୋକମାନେ ଜାତି ଓ ବର୍ଣ୍ଣ ନିର୍ବିଶେଷରେ ମହାପ୍ରଭୁଙ୍କ ସେବା କରିବା ତଥା ଶ୍ରୀମନ୍ଦିରର ବିକାଶ ପାଇଁ ଏହି ଧାମର ସହଯୋଗ ନିମନ୍ତେ ଶ୍ରମଦାନ ଏବଂ ଅର୍ଥଦାନ ପାଇଁ ସୁଯୋଗ ଦିଆଯିବା ନିମନ୍ତେ ସେ ଗଜପତି ମହାରାଜାଙ୍କୁ ଅନୁରୋଧ କରିଛନ୍ତି ।

ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସମ୍ମାନ ଏବଂ ଭକ୍ତିଭାବର ପ୍ରକାଶ କରି ଆସୁଛନ୍ତି । ଏହି ପବିତ୍ର ପ୍ରଚେଷ୍ଟାକୁ ବଡ ସଫଳତାର ରୂପ ଦେବା ପାଇଁ ଭାରତ ସରକାର ଆଇନଗତ ଏବଂ ନୀତିଗତ ଭାବରେ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବା ପାଇଁ ଇଚ୍ଛୁକ ଅଛନ୍ତି । ତେବେ ପ୍ରସ୍ତାବିତ ଅଭିଯାନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଜରୁରୀ । ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମଧ୍ୟରେ ସମ୍ପର୍କର ସେତୁ ସାଜିବା ଏବଂ ସମନ୍ୱୟ ରକ୍ଷା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଗଜପତି ମହାରାଜାଙ୍କୁ ଅନୁରୋଧ କରିଛନ୍ତି ।

ଆଇନଗତ ଦୃଷ୍ଟିକୋଣରୁ ଭାରତ ସରକାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଆୟକର ଅଧିନିୟମ ଅନୁଯାୟୀ ଛାଡ, ବୈଦେଶିକ ଆର୍ଥିକ ଯୋଗଦାନ ପଞ୍ଜିକରଣ (ନିୟମାବଳି) ଆଇନ, ୨୦୧୦ ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ସହାୟତା ପ୍ରଦାନ କରିବେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତ ମାନଙ୍କ ପାଇଁ ଓଡ଼ିଶା ତଥା ଭାରତର ଏକାଧିକ ବ୍ୟାଙ୍କ୍ ଏବଂ ସେମାନଙ୍କ ଶାଖା ବ୍ରାଂଚ୍ ମଧ୍ୟ ଏଥିପାଇଁ ସୁବିଧା ସୁଯୋଗ ଯୋଗାଇବା ସହ ସହଯୋଗ କରିବେ ବୋଲି ଧର୍ମେନ୍ଦ୍ର ପତ୍ରରେ ଉଲ୍ଲେଖ କରିଛନ୍ତି ।