ରାଉରକେଲାରେ ହଇଜା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର କହିଲେ, ସଂକ୍ରମଣ ରୋକିବାକୁ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନିଅନ୍ତୁ ରାଜ୍ୟ ସରକାର ।

70

କନକ ବ୍ୟୁରୋ : ରାଉରକେଲାରେ ହଇଜା ସଂକ୍ରମଣ ଘଟଣାରେ ଚିନ୍ତା ପ୍ରକାଶ କରିବା ସହ ସଂକ୍ରମଣକୁ ରୋକିବା ପାଇଁ ତ୍ୱରିତ ପଦକ୍ଷେପ ପାଇଁ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ପାଇଁ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଉରକେଲା ଭଳି ମହାନଗର ଅଞ୍ଚଳରେ ହଇଜା ସଂକ୍ରମଣରେ ଶତାଧିକ ଲୋକ ଆକ୍ରାନ୍ତ ହେବା ଓ ପ୍ରଶାସନର ନିୟନ୍ତ୍ରଣ ବାହାରକୁ ଚାଲିଥିବା ଚିନ୍ତାଜନକ । ରାଜ୍ୟ ସରକାର ତୁରନ୍ତ ଏହି ସମ୍ବେଦଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ।

ସଂକ୍ରମିତ ଅଞ୍ଚଳରେ ଘର ଘର ବୁଲି ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସଚେତନତା ସୃଷ୍ଟି କରାଯାଉ । ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ସହ ଉକ୍ତ ଅଞ୍ଚଳରେ ନାଗରିକଙ୍କୁ ଅତ୍ୟାବଶ୍ୟକ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ତ୍ୱରିତ ପଦକ୍ଷେପ ନିଅନ୍ତୁ ବୋଲି ଧର୍ମେନ୍ଦ୍ର ନିଜ ସୋସିଆଲ ମିଡ଼ିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଏହାସହ ହଇଜାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଦୁଃଖପ୍ରକାଶ କରିବା ସହ ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।