ପୋଲସରାର ମାରଦା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

63

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନ୍ୟତମ ପ୍ରସିଦ୍ଧ ଲୀଳାକ୍ଷେତ୍ର ଭାବେ ଜଣାଶୁଣା ଗଞ୍ଜାମ ଜିଲ୍ଲା ପୋଲସରା ଅନ୍ତର୍ଗତ ମାରଦା ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି ।

ଏଥିସହ ସମଗ୍ର ହିନ୍ଦୁ ସମାଜ, ଓଡିଆ ଲୋକ ଓ ଜଗନ୍ନାଥପ୍ରେମୀଙ୍କ ପାଇଁ ଏହା ପବିତ୍ର ତୀର୍ଥ କ୍ଷେତ୍ର । ପବିତ୍ର ଶରଣ ଶ୍ରୀକ୍ଷେତ୍ର ମାରଦା ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଦରକାର । ୧୮୦୦ ଶତାବ୍ଦୀରେ ମୋଗଲ ସେନାର ଆକ୍ରମଣ ଭୟରେ ପୁରୀ ଶ୍ରୀମନ୍ଦିରର ସଂସ୍କାର ବାଧାପ୍ରାପ୍ତ ହେବା ଚିନ୍ତାରେ ସେ ସମୟରେ ପୁରୀର ଗଜପତି ମହାରାଜା ପୂଜ୍ୟ ରାମଚନ୍ଦ୍ର ଦେବ ଗଞ୍ଜାମ ଜିଲ୍ଲାର ମଥୁରା ଅଂଚଳରେ ଭଗବାନଙ୍କୁ ସୁରକ୍ଷିତ ରଖିଥିଲେ ବୋଲି ସେ କହିଥିଲେ ।

ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ମନ୍ଦିରର ସାଧୁ ସନ୍ଥ ଏବଂ ସ୍ଥାନୀୟ ଅଂଚଳର ଗୁରୁଜନ ମାନଙ୍କୁ ଭେଟି ମନ୍ଦିର ସହ ଜଡ଼ିତ ବିଭିନ୍ନ ବିଷୟରେ ଧର୍ମେନ୍ଦ ପ୍ରଧାନ ଆଲୋଚନା କରିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତିର ବାର୍ତ୍ତା ବହନ କରୁଥିବା ଏହି ପବିତ୍ର ଶରଣ ଶ୍ରୀକ୍ଷେତ୍ରରେ ଜଗତର କଲ୍ୟାଣ ନିମନ୍ତେ ସେ ପ୍ରାର୍ଥନା କରିଥିଲେ ।