ଧାମରା ନଦୀରେ ୧୧୦ କୋଟି ବ୍ୟୟରେ ହେବ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଭଦ୍ରକ ଏବଂ କେନ୍ଦ୍ରାପଡାରେ ବିକାଶର ଗତି ତ୍ୱରାନ୍ୱିତ ହେବ ।

134

କନକ ବ୍ୟୁରୋ: ରାଜ୍ୟର ଧାମରା ନଦୀରେ ୧୧୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ ଭଦ୍ରକ ଏବଂ କେନ୍ଦ୍ରାପଡ଼ାର ବିକାଶର ଗତିକୁ ତ୍ୱରାନ୍ୱିତ କରିବ । ଏନେଇ ଆଜି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶାର ବିକାଶ ପାଇଁ ନିରନ୍ତର ଦୃଷ୍ଟି ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ମନସୁଖ ମନସୁଖ ମଣ୍ଡଭିୟଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି  । ସେ ଟ୍ୱିଟ୍ କରିଛନ୍ତି ଯେ ଏକବିଂଶ ଶତାବ୍ଦୀର ଭିତିଭୂମିର ବିକାଶ ଏବଂ ଜଳପଥରେ ଥିବା ସମ୍ଭାବନାର ସମ୍ପୂର୍ଣ୍ଣ ବ୍ୟବହାର ପାଇଁ ଭାରତ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଧାମରା ନଦୀରେ ଆରଓ -ପାକ୍ସ ଜେଟି ନିର୍ମାଣ ତଥା ଆନୁସଙ୍ଗିକ ଭିତିଭୂମି ପ୍ରସ୍ତୁତ କରିବା ପାଇଁ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ଏହି ପ୍ରକଳ୍ପ ଭଦ୍ରକ ଏବଂ କେନ୍ଦ୍ରାପଡ଼ାରେ ଯୋଗାଯୋଗକୁ ମଜବୁତ୍ କରିବା ସହ ଯାତାୟତ ସମୟକୁ ହ୍ରାସ କରିବ ଏବଂ ସ୍ଥାନୀୟ ଅଂଚଳରେ ନିଯୁକ୍ତି ସୃଷ୍ଟି ହେବ ।

ସୂଚନାଯୋଗ୍ୟ, ସାଗରମାଳା ଯୋଜନା ଅଧୀନରେ ଓଡ଼ିଶାର ଭଦ୍ରକ ଜିଲ୍ଲାର କାଣୀନାଳି ଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ସବୁଦିନିଆ ଆରଓ-ଜେଟି ଏବଂ ଆନୁସଙ୍ଗିକ ଭିତିଭୂମି ନିର୍ମାଣ କରାଯିବ । ଏଥିପାଇଁ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ପ୍ରଶାସନିକ ଅନୁମୋଦନ ଦିଆଯାଇଛି । ପ୍ୟାକ୍ସ ଜେଟି ନିର୍ମାଣ କରାଯିବା ଫଳରେ ନୌକା, ଲଂଚ ଓ ଅନ୍ୟ ଡଙ୍ଗା ରହଣୀ ସହ ଯାତାୟାତ ପାଇଁ ସୁବିଧା ହେବ ।