କନକ ବ୍ୟୁରୋ : ସ୍କୁଲ ଶିକ୍ଷାକୁ ମଜଭୂତ୍ କରିବା, ସମାଜର ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ଏବଂ ଶିକ୍ଷକଙ୍କୁ ଉତ୍ତମ ତାଲିମ ପ୍ରଦାନ କରିବା ଦିଗରେ ଭୁବନେଶ୍ୱର ଠାରେ ଷ୍ଟାର୍ସ (ଷ୍ଟ୍ରେନ୍ଦେନିଂ ଟିଚିଂ-ଲର୍ଣ୍ଣିଂ- ଆଣ୍ଡ୍ ରେଜଲ୍ଟ ଫର୍ ଷ୍ଟେଟ୍ସ) କାର୍ଯ୍ୟକ୍ରମର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି ।

Advertisment

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଷ୍ଟାର୍ସ ସମୀକ୍ଷା ବୈଠକର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ଷ୍ଟାର୍ସ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ୬ଟି ରାଜ୍ୟ ଯଥା ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶର ଶିକ୍ଷା ସଚିବମାନେ ଏହି ବୈଠକରେ ଯୋଗ ଦେଇଛନ୍ତି । ସେହିପରି କେନ୍ଦ୍ର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ, ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ବରିଷ୍ଠ ଅଧିକାରୀ ଓ ଏନସିଇଆରଟିର ଅଧିକାରୀମାନେ କାର୍ଯ୍ୟକ୍ରମ ଯୋଗ ଦେଇଛନ୍ତି ।

ଆଜି ଏବଂ ଆନ୍ତାକାଲି ଦୁଇ ଧରି ସମୀକ୍ଷା ବୈଠକରେ ଉପରୋକ୍ତ ରାଜ୍ୟର ସ୍କୁଲ ଶିକ୍ଷାର ଅଗ୍ରଗତି ଉପରେ ଚର୍ଚ୍ଚା ଆଲୋଚନା ହେବ । ସ୍କୁଲ ଶିକ୍ଷା ନେଇ ଥିବା ରାଜ୍ୟ ଗୁଡିକର ବାର୍ଷିକ ଯୋଜନା, ବଜେଟ୍, ସମଗ୍ର ଶିକ୍ଷା ଉପରେ ଚର୍ଚ୍ଚା ସହ ରାଜ୍ୟ ଗୁଡିକ ଠାରୁ ବିଭିନ୍ନ ପରାମର୍ଶ ନିଆଯିବ। ଭୁବନେଶ୍ୱରରେ ଏଭଳି ବୈଠକ ପ୍ରଥମ ଥର ପାଇଁ ହେଉଛି ।

ଷ୍ଟାର୍ସ ପ୍ରକଳ୍ପକୁ କ୍ରିୟାନ୍ୱୟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୨୦୨୦ରେ କ୍ୟାବନେଟରେ ଅନୁମୋଦନ ଦେଇଥିଲେ । ଏହି ପ୍ରକଳ୍ପ ଉନ୍ନତ ମାନବ ସମ୍ବଳ ପ୍ରସ୍ତୁତ କରିବା ପାଇଁ ଉତ୍ତମ ଉନ୍ନତ ଶିକ୍ଷା ପରିଣାମ ଓ ସ୍କୁଲ ଦ୍ୱାରା ପ୍ରସ୍ତୁତ ରଣନୀତି ସହ କାର୍ଯ୍ୟ କରିବା ପାଇଁ ବିଭିନ୍ନ ଉପକ୍ରମ ବିକଶିତ କରିବା ସହ ତାହାକୁ ଲାଗୁ କରିବା, ଆକଳନ କରିବା ଓ ସଂସ୍କାର ଆଣିବା ପାଇଁ ରାଜ୍ୟ ଗୁଡିକୁ ସହାୟତା କରିବ । ଗୁଣବତ୍ତା ଆଧାରିତ ଶିକ୍ଷା ପରିଣାମ ହାସଲ କରିବା ପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ରେ ଥିବା ଉଦ୍ଦେଶ୍ୟ ସହିତ ଷ୍ଟାର୍ସ ପ୍ରକଳ୍ପର ଯୋଜନା ଗୁଡିକ ଯୋଡ଼ି ହୋଇଛି ।