କନକ ବ୍ୟୁରୋ : ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଆଉ ଓଡ଼ିଶାର ୬ ଜଣଙ୍କୁ ଏହି ପଦ୍ମ ପୁରସ୍କାର ମିଳିବାକୁ ଘୋଷଣା ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରତିଭାସମ୍ପନ୍ନ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରି  ଆମ ରାଜ୍ୟର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାକୁ ମାନ୍ୟତା ଦେବା ସହ ଜାତୀୟ ସ୍ତରରେ ଓଡିଶାର ପ୍ରତିଭାକୁ ସର୍ବୋଚ୍ଚ ସମ୍ମାନ ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Advertisment

ଏହାସହ ସମ୍ମାନଜନକ “ପଦ୍ମବିଭୂଷଣ ଓ ପଦ୍ମଶ୍ରୀ” ପୁରସ୍କାର ପାଇଁ ମନୋନୀତ ହୋଇଥିବା ଭାରତ ସମେତ ଓଡିଶାର ସମସ୍ତ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ କଳା କ୍ଷେତ୍ରରେ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମବିଭୂଷଣ ସମ୍ମାନ ପାଇଁ ମନୋନୀତ କରି ରାଜ୍ୟର କଳା ଓ କାରିଗରଙ୍କ ପ୍ରତି ଉଚିତ୍ ସମ୍ମାନ ଦିଆଯାଇଛି । ସେହିପରି କଳା, ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟସେବାରେ ବିଶିଷ୍ଟ ସମାଜସେବୀ ଶାନ୍ତି ଦେବୀ, ପୂର୍ଣ୍ଣମାସୀ ଜାନୀ, ରଜତକୁମାର କର, ଡା. କ୍ରୀଷ୍ଣମୋହନ ପାଠୀ ଓ ନନ୍ଦ ପୃଷ୍ଟି ପଦ୍ମଶ୍ରୀ ପାଇଁ ମନୋନୀତ ହେବା ନେଇ କେନ୍ଦ୍ରମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି ।

ସାଧନା ଓ ଉଲ୍ଲେଖନୀୟ କାର୍ଯ୍ୟ ମାଧ୍ୟମରେ ନିଜର ଜୀବନକୁ ସମାଜ ପାଇଁ ଉତ୍ସର୍ଗୀକୃତ କରିଥିବା ପ୍ରତିଭାସମ୍ପନ୍ନ ଓଡ଼ିଆ ମଧ୍ୟ ପଦ୍ମ ପୁରସ୍କାରରେ ସମ୍ମାନିତ ହେବା ଗୌରବର ବିଷୟ ଓ ଜଣେ ଓଡ଼ିଆ ଭାବରେ ମୁଁ ଗର୍ବିତ ବୋଲି କହିଛନ୍ତି ଧର୍ମେନ୍ଦ୍ର ।