କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ଆଶା ଦେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଦଳ ହାରିଥିବା କଥାକୁ ସ୍ୱୀକାର କରିଥିଲେ ବି ବିଜେପିକୁ ୩୦ ପ୍ରତିଶତ ଲୋକ ଭୋଟ ଦେଇଥିବାରୁ ଏହା ଆଶା ସଂଚାର କରିଥିବା ଇଙ୍ଗିତ କରିଛନ୍ତି । ଧର୍ମେନ୍ଦ୍ରଙ୍କ ଏହି କଥା ଦଳ ପାଇଁ ବେଶ ଗୁରୁତ୍ୱ ରଖୁଛି । ଓଡିଶାରେ ପଞ୍ଚାୟତ ଓ ପୌର ନିର୍ବାଚନ ପରେ ଦଳର ବିପର୍ଯ୍ୟୟ ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳରେ କେନ୍ଦ୍ରୀୟ ଉନ୍ନୟନ କାମର ସମୀକ୍ଷା ଅବସରରେ ସେ ପଞ୍ଚାୟତ ପରାଜୟ ନେଇ ମୁହଁ ଖୋଲିଛନ୍ତି ।

ପଞ୍ଚାୟତ, ପୌର ପରାଜୟ ପଛର କାରଣ କଣ ? ହାରିବା ଦିଗକୁ ଗୌଣ କରି କହିଲେ ଦାୟିତ୍ୱର କଥା । ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳରେ କେନ୍ଦ୍ରୀୟ ଯୋଜନାର ସ୍ଥିତି ସମୀକ୍ଷା ଅବସରରେ ପଂଚାୟତ ଓ ପୌର ପରାଜୟ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ । ପରଜଙ୍ଗ ଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ମନ୍ତ୍ରୀ କହିଛନ୍ତି, ପଂଚାୟତ ନିର୍ବାଚନରେ ବିଜେପି ହାରିଛି । କିନ୍ତୁ ଲୋକେ ବିଜେପିକୁ ଭୋଟ ଦେଇଛନ୍ତି । ଲୋକେ ଦେଇଥିବା ଦାୟିତ୍ୱକୁ ଦଳ ତୁଲାଇବ । ଯଦିଓ ୨୦୧୯ ତୁଳନାରେ ଦଳ କମ୍ ଭୋଟ୍ ପାଇଛି ତଥାପି ୩୦ ପ୍ରତିଶତ ଭୋଟ୍ ଦଳ ପାଇଁ ଆଶାସଂଚାର କରିଥିବା ଇଙ୍ଗିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

୨୦୨୨ ପଂଚାୟତ ନିର୍ବାଚନରେ ବିଜେପି ୧୦ ଜିଲ୍ଲାରେ ଖାତା ଖୋଲି ପାରିନଥିଲା, ୯ ଜିଲ୍ଲାରେ ମାତ୍ର ଗୋଟିଏ ଲେଖାଏଁ ଜିଲ୍ଲା ପରିଷଦ ଜୋନ୍ ଜିତିଥିଲା । ଏଭଳି ସ୍ଥିତିରେ ଦଳ ୨୦୨୪ ପାଇଁ ନିଜକୁ ପ୍ରସ୍ତୁତ କରୁଥିବାରୁ ବିଜେପିର ଏହି ବଡ ନେତାଙ୍କ ଠାରୁ ବଡ ବୟାନ ଆଶା କରାଯାଉଥିଲା । ବଡ କଥା ହେଉଛି ପଂଚାୟତରେ ବିଜେଡି ୫୩ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିପକ୍ଷରେ ୪୭ ପ୍ରତିଶତ ଭୋଟ୍ ପଡିଥିଲା । ଅର୍ଥାତ୍ ବିରୋଧୀଙ୍କ ପାଖରେ ଏକ ବଡ ଧରଣର ଭୋଟ୍ ବ୍ୟାଙ୍କ ରହିଛି । ହେଲେ ସଂଗଠିତ ହୋଇ ଆଉ ପୂର୍ଣ୍ଣ ଶକ୍ତି ସହ ବିରୋଧୀ ଲଢୁନଥିବାରୁ ବିଜେଡି ପାଇଁ ବାତାବରଣ ଅନୁକୁଳ ରହୁଛି ।

ଆଗାମୀ ଦିନରେ ବିଜେପିରେ ବ୍ୟାପକ ପରିବର୍ତନ ହେବାର ସୂଚନା ମିଳୁଥିବା ବେଳେ ଦଳ ଭିତରେ ଥିବା ଫାଟ କିନ୍ତୁ ଜଳ ଜଳ ହୋଇ ବାରି ହେଉଛି । କାରଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କଥା ଉଠାଇ ଅପରାଜିତା ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଥିବା ବେଳେ, ବିଜେପିର ଅନ୍ୟ ନେତା କିନ୍ତୁ ଚୁପ୍ ରହିଛନ୍ତି ।

ସେପଟେ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ଓଡିଶାରେ କେନ୍ଦ୍ରୀୟ ଯୋଜନାର ଲାଭ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ । ପ୍ରଶାସନିକ କଳକୁ ଲଗାଇ ଲୋକଙ୍କୁ ବିଜେଡି ବିଭ୍ରାନ୍ତ କରୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ରଙ୍କ ପରିବର୍ତିତ ସ୍ଥିତିରେ ବୟାନ, ଦଳ ପାଇଁ କଣ ବାତାବରଣ ତିଆରି କରୁଛି, ତା ଉପରେ ରାଜନୈତିକ ବିଶେଷଜ୍ଞଙ୍କ ନଜର ରହିଛି ।