କନକ ବ୍ୟୁରୋ : ପଦ୍ମପୁର ପ୍ରଚାର ମୈଦାନରୁ ଦ୍ୱିତୀୟ ଦିନରେ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଧାସଳଖ ନବୀନ ସରକାରଙ୍କୁ ବାଣ ମାରିଛନ୍ତି ଧର୍ମେନ୍ଦ୍ର । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଘୋଷଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର । ଗତକାଲି ନବୀନ ପଟ୍ଟନାୟକ ମିଶନ ଶକ୍ତି ମହିଳାଙ୍କ ପାଇଁ ବିନା ସୁଧରେ ୫ ଲକ୍ଷର ଋଣ ଘୋଷଣା କରିଛନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ମାଛ ତେଲରେ ମାଛ ସଦୃଶ । କାରଣ କେନ୍ଦ୍ର ସରକାର ଦୀନଦୟାଲ ଅନ୍ତୋଦୟ ଯୋଜନା ନ୍ୟାସନାଲ ରୁରାଲ ଲାଇଭହୁଡ ମିଶନରେ ମହିଳା ମାନଙ୍କୁ ୧୧% ସୁଧ ଉପରେ ୭% ସୁଧ ଛାଡ କରିଛନ୍ତି । ରାଜ୍ୟ ମାତ୍ର ୪% ଋଣ ଛାଡ କରି ବାହାବା ନେବାକୁ ବସିଛି ।

Advertisment

ନବୀନ ବାବୁଙ୍କର ମନ୍ତ୍ରୀ ଏବେ ସଚିବାଳୟ ଛାଡି ଏବେ ପଦ୍ମପୁରରେ ଡେରା ପକାଇଛନ୍ତି । ମନ୍ତ୍ରୀ କହୁଛନ୍ତି, ପଦ୍ମପୁରରେ ଲୋକେ ଦାଦନ ଖଟିବାକୁ ଯାଉନାହାନ୍ତି । ଗନ୍ଧମାର୍ଦ୍ଦନ ପର୍ବତରୁ ପାଣି ବଦଳରେ ନବୀନ ବାବୁଏମିତି ଘିଅ, ମହୁ ବୁହାଇଲେ ଯେ, ଲୋକଙ୍କ ଘରେ ସମ୍ପନ୍ନତା ଆସିଗଲା । ଲୋକେ ଘରେ ରହି କାମ କରୁଛନ୍ତି ।  ୨୨ ବର୍ଷର ଶାସନ ପରେ ବି ଓଡ଼ିଆ ପିଲା ଭିଟାମାଟି ଛାଡିକି, ପରିବାର ଛାଡି ଦାଦନ ଖଟିବାକୁ ଯାଉଛନ୍ତି । କାଲି ବିଭିନ୍ନ ପ୍ରସଙ୍ଗରେ କିଛି ପ୍ରମାଣ ପଦ୍ମପୁରବାସୀଙ୍କ ସାମ୍ନାରେ ରଖିଥିଲି ଶାସକ ଦଳକୁ ବହୁତ କଷ୍ଟ ହେଲା । ପାନୀୟ ଜଳ ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉଛନ୍ତି, ହେଲେ ରାଜ୍ୟ ସରକାର କାମ କରୁନାହାନ୍ତି ।

ଇନପୁଟ୍ ସବସିଡି କଥା ଓଡ଼ିଶା ସରକାର ଘୋଷଣା କରିଛନ୍ତି । କିନ୍ତୁ ଚାଷୀଙ୍କ ଆକାଉଣ୍ଟକୁ ଏଯାବତ ଆସିନାହିଁ । ନବୀନ ବାବୁ ପଦ୍ମପୁର ଆସିଲେ ସେ ବାବଦରେ ତାଙ୍କୁ ପଚାରିବେ । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦିଅନ୍ତୁ, ବିଜେଡି ସଭାପତି ଭାବେ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ଭାବେ  ଏନେଇ ଘୋଷଣା କରନ୍ତୁ ।  କାଳିଆ ଯୋଜନାରେ ୧୦ ହଜାର ବଦଳରେ ୪ ହଜାର ଦେଉଛନ୍ତି । ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଣିର ଗାର । ଓଡ଼ିଶାର ୨୮ ଲକ୍ଷ ଗରିବଙ୍କୁ ଘର ପାଇଁ ମୋଦୀ ସରକାର ଟଙ୍କା ଦେଇଛନ୍ତି କିନ୍ତୁ ଏଠି ଲୁଟ୍ ହେଉଛି । ଆବାସ ଯୋଜନାରେ ଘର ପାଇଁ ପଶ୍ଚିମ ଓଡ଼ିଶାର ଗରିବ ଲୋକଙ୍କ ନାଁ ନବୀନ ସରକାର ଦିଲ୍ଲୀ ପଠାଉ ନାହିଁ । ଯେ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ଲୋକଙ୍କ ନାଁ ଆସିବ ନାହିଁ ସେପର୍ଯ୍ୟନ୍ତ ଦିଲ୍ଲୀରୁ ଟଙ୍କା ଆସିବ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଭଷ୍ଟ୍ରାଚାରୀ ଓ ଲୁଟ୍ କରୁଥିବା ସରକାର ଗରିବଙ୍କୁ ଘର ଦେଉନାହିଁ ।

ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ନାଁ କେଳେଙ୍କାରୀରେ ନାହିଁ, ଚିଟଫଣ୍ଡ ଦୁର୍ନୀତି କରିନାହାନ୍ତି । ଏହା ବିଜେଡି ନେତାଙ୍କ ଚରିତ୍ର । ହତ୍ୟାକାରୀ ମନ୍ତ୍ରୀ, ନାଗଫାଶରେ ଫଶିଥିବା ବିଧାୟକ ମାନେ ପଞ୍ଚାୟତରେ ବୁଲି ବୁଲି ପ୍ରଚାର କରୁଛନ୍ତି । କୁସୁମ ଟେଟେଙ୍କ ନାଁରେ ତ କେବେ ଏଭଳି ଅଭିଯୋଗ ଆସିନଥିଲା । କିନ୍ତୁ ରାତି ଅଧରେ ଜିଏସଟି ଚଢାଉକୁ ପ୍ରତିବାଦ କରିଥିବାରୁ ତାଙ୍କ ନାଁରେ ମାମଲା ରୁଜୁ ହେଉଛି । ଓଡ଼ିଶାରେ ଋଣଭାର ଏବେ ୧ ଲକ୍ଷ କୋଟି ଟଙ୍କା ହେଲାଣି । ଏବେ ପ୍ରତିଟି ଲୋକ ମୁଣ୍ଡ ଉପରେ ୨୫ ହଜାର ଟଙ୍କାର ଋଣ ରହିଲାଣି । ଏହା ହେଉଛି ନବୀନ ବାବୁଙ୍କ ପାରିବା ପଣିଆ ।

ଉପନିର୍ବାଚନ ହେଲେ ସେ ଅଞ୍ଚଳର ଦାୟିତ୍ୱ ନିଜେ ନେବା କଥା କୁହନ୍ତି ନବୀନ ବାବୁ । ବିଜେପୁରରେ କହିଥିଲେ ଦାୟିତ୍ୱ ନେବେ ବୋଲି ଏବେ ସୁଦ୍ଧା କଣ ଦାୟିତ୍ୱ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ଏଭଳି କରି ଲୋକଙ୍କୁ ଠକୁଛନ୍ତି ନବୀନ । ଗଙ୍ଗାଧର ଜଳସେଚନ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ, ୫ ବର୍ଷ ହେଲାଣି ବୁନ୍ଦେ ପାଣି ମାଡିଛି ବିଜେପୁରରେ । ଦିନରେ ଲଣ୍ଠନ ଦେଖାଉଛନ୍ତି ନବୀନ  । ଆଦିବାସୀ, ହରିଜନ ଓ ଗରିବ ଲୋକ ୨୨ ବର୍ଷ ଶାସନରେ ଯେତିକି ନିଷ୍ପେସିତ ହୋଇଛନ୍ତି ଭାରତବର୍ଷରେ ତାହା ଠାରୁ ଅଧିକ ନିଷ୍ପେସିତ କୌଣସି ରାଜ୍ୟରେ ହେଉନଥିବେ । କିଛି ଏଭଳି ଢଙ୍ଗରେ ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।