କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ଦଳ ଜଣେ ଯୁବ ସଂଗଠକ ତଥା ଲଢୁଆ ନେତାଙ୍କୁ ପ୍ରାର୍ଥୀ କରିଛି  । ୩ଟି ଦଳ ଯୁବ ଚେହେରାଙ୍କୁ ମୈଦାନକୁ ଓହ୍ଲାଇଛନ୍ତି ।ଏହା ଶୁଭ ଲକ୍ଷଣ, ଝାରସୁଗୁଡା ଉପ ନିର୍ବାଚନ ନିଶ୍ଚିତ ଭାବେ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ହେବ ।  ଉପ ନିର୍ବାଚନ କାହିଁକି ହେଉଛି ତାହା ହେବ ବିଜେପିର ମୂଳ ପ୍ରସଙ୍ଗ  । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଗଲା, ସେଥିପାଇଁ ଗୋଟେ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇ ଉପ ନିର୍ବାଚନ ହେଉଛି, କିଛି ଦିନ  ପୂର୍ବରୁ ଛୋଟ ଛୁଆକୁ ବି ଅପହରଣ କରି ହତ୍ୟା କରାଗଲା ତାହା ମଧ୍ୟ ପ୍ରସଙ୍ଗ ହେବ ।

Advertisment

ଏହାସହ ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଛି, ଗତକାଲି ସମ୍ବଲପୁର ଘଟଣା ତାର ସଦ୍ୟ ନମୁନା  ।  ଝାରସୁଗୁଡା ପଡୋଶୀ ସହର ସମ୍ବଲପୁର, ଅନ୍ୟତମ ସାଂସ୍କୃତିକ କେନ୍ଦ୍ର, ସେଠି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି  । ବର୍ଷ ବର୍ଷ ହୋଇ ହନୁମାନ ଜୟନ୍ତୀ ସେଠି ପାଳନ ହୁଏ  । କିନ୍ତୁ ଏହାର କାର୍ୟ୍ୟକ୍ରମ ବେଳେ ଆକ୍ରମଣ ହେଉଛି । ପୋଲିସ କର୍ମଚାରୀମାନେ ଲହୁ ଲୁହାଣ ହୋଇଛନ୍ତି, ଏସବୁ ପ୍ରମାଣିତ କରୁଛି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଣ ? ମୋର ବନ୍ଧୁ ଦାମୋଦର କରଙ୍କ ଅବସ୍ଥା ମଧ୍ୟ ଗୁରୁତର ଅଛନ୍ତି,  ଶାନ୍ତି ବଜାୟ ରଖିବା ପାଇଁ ମୁଁ ସମ୍ବଲପୁରବାସୀଙ୍କୁ ଅନୁରୋଧ କରୁଛି ।

ରାଜ୍ୟ ସରକାରଙ୍କ ଅପାରଗତା ରହିଛି, ସେମାନେ ଶାସନ ଚଳାଇ ପାରୁନାହାନ୍ତି  ।  ସମ୍ବଲପୁର ସ୍ଥିତି ପାଇଁ ରାଜ୍ୟ ସରକାରଙ୍କ ଅପରାଗତାକୁ ଦାୟୀ କରିବା ସହ ନିନ୍ଦା କରିଛନ୍ତି ଧର୍ମେନ୍ଦ୍ର ।