ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । କହିଲେ, ପ୍ରଧାନମନ୍ତ୍ରୀଙ୍କୁ ପର୍ଯ୍ୟଟକ କହି ଅପମାନିତ କରିଛନ୍ତି, ଓଡ଼ିଶାବାସୀ ଜବାବ ଦେବେ ।

241

କନକ ବ୍ୟୁରୋ : ବାଲେଶ୍ୱରରେ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିଛି ବିଜେପି । ଏହାସହ କାର୍ଯ୍ୟକର୍ତ୍ତା ସମାବେଶରେ ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୪ ବର୍ଷ ହେବ ରାଜ୍ୟରେ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି, ତାକୁ ବଦଳାଇବାକୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଉଭୟ କଂଗ୍ରେସ ଓ ବିଜେଡିକୁ ପୂର୍ବରୁ ଓଡ଼ିଶାବାସୀ ସୁଯୋଗ ଦେଇଛନ୍ତି । କିନ୍ତୁ ଏଥର ବିଜେପିକୁ ସୁଯୋଗ ଦେଲେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିବୁ । କିନ୍ତୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଲେ ବୋଲି ତାଙ୍କୁ ପର୍ଯ୍ୟଟକ କହି ଅପମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭାରତରେ ପ୍ରଧାନମନ୍ତ୍ରୀ କେମିତି ପର୍ଯ୍ୟଟକ ହେଲେ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର?

ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି, ସାଢେ ୪ କୋଟି ଓଡ଼ିଆ ଥିବା ବେଳେ ତାମିଲନାଡୁରୁ ଭଡାଟିଆଙ୍କୁ ଆଣି ନେତା କରାଯାଉଛି । ଏହାର ଜବାବ ଓଡ଼ିଶାବାସୀ ନିଶ୍ଚୟ ଦେବେ । ପ୍ରଧାନମନ୍ତ୍ରୀ ଭାରତର ସବୁ ରାଜ୍ୟକୁ ଏକ ନମ୍ବର କରିବେ, ଏହା ମୋଦୀଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ଧର୍ମେନ୍ଦ୍ର । ୩ଟି ପ୍ରଶ୍ନ ପଚାରିବା ସହ ଧର୍ମେନ୍ଦ୍ର କହିଛନ୍ତି, ବାଲେଶ୍ୱରର ସବୁ ଗାଁକୁ ପିଇବା ପାଣି ଯାଇଛି କି? ସବୁ ଅଞ୍ଚଳକୁ ଜଳସେଚନ ବ୍ୟବସ୍ଥା ଅଛି କି? ସବୁ ସରକାରୀ ସ୍କୁଲରେ ଶିକ୍ଷକ ଓ ସବୁ ସରକାରୀ ହସ୍ପିଟାଲରେ ଡାକ୍ତର ଅଛନ୍ତି କି ବୋଲି ପ୍ରଶ୍ନ ପଚାରି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ।

ଏହାସହ ପୁଣିଥରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇବାକୁ ୨୧ରୁ ୨୧ ବିଜେପି ସାଂସଦଙ୍କୁ ବିଜୟୀ କରିବାକୁ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର । ଉପକୂଳ ଅଞ୍ଚଳକୁ ପୂରା ମୋଦିମୟ କରିବାକୁ ଆହ୍ୱାନ ଦେଇ ଓଡ଼ିଶାରେ ପରିବର୍ତ୍ତନ ପାଇଁ ଲୋକେ ମନ ବଳାଇଥିବା କହିଛନ୍ତି ଧର୍ମେନ୍ଦ୍ର ।