ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ ପ୍ରସ୍ତାବ । କହିଲେ, ଭୀମ ଭୋଇଙ୍କ ବିଚାର ମୋଦୀଙ୍କ ଗରିବ କଲ୍ୟାଣର ମୂଳମନ୍ତ୍ର

78

କନକ ବ୍ୟୁରୋ: ସନ୍ଥକବି ଭୀମ ଭୋଇଙ୍କ ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ ବିଚାରକୁ ପାଥେୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କରୁଥିବା ବେଳେ ଗରିବ ଓ ଦେଶର କଲ୍ୟାଣ ପାଇଁ ଏହି ଉକ୍ତିକୁ ମୂଳ ମନ୍ତ୍ର କରାଯାଇଛି । ମୋଦି ସରକାର ପୂର୍ବୋଦୟ ମିଶନରେ ପୂର୍ବ ଭାରତ ସମେତ ସମଗ୍ର ଭାରତକୁ ବିକାଶ ପଥରେ ଆଗକୁ ନେଉଥିବା ବେଳେ ତାଙ୍କର ଭିନ୍ନଶୈଳୀର ନେତୃତ୍ୱ ଓ ବିଚାରଧାରା ବିଶ୍ୱ ଇତିହାସରେ ନୂଆ ଅଧ୍ୟାୟ ଲେଖିବ । ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ପୂର୍ବ ଭାରତର ବିକାଶ ପାଇଁ ‘ପୂର୍ବୋଦୟ’ର ନାରା ଦେଇଛନ୍ତି । ଏଥିପାଇଁ ସେ ବାରାଣାସୀରୁ ନିର୍ବାଚନ ଲଢୁଛନ୍ତି । ଉଜ୍ୱଳା ଯୋଜନାରେ ପୂର୍ବ ଭାରତର ଅଧାରୁ ଅଧିକ ଲୋକମାନେ ଲାଭ ପାଇଛନ୍ତି ବୋଲି ସଂସଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ତା’ସହ ଆଦିବାସୀ ବର୍ଗଙ୍କ ବିକାଶ ପାଇଁ ଦେଶରେ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ହେଉଛି । କେବଳ ପୂର୍ବ ଭାରତରେ ୩୦୪ଟି ଏକଲବ୍ୟ ବିଦ୍ୟାଳୟ ଖୋଲାଯିବା ପାଇଁ ନିଷ୍ପତି ନିଆଯାଇଛି । ସେହିପରି ଉଡାନ ଯୋଜନାରେ ଜାମସେଦପୁର, ଝାରସୁଗୁଡା, ଦରଭଙ୍ଗା, ଦେଉଘର, ଅରୁଣାଚଳର ପାସିଘାଟ, ଆସାମର ରୁପସୀ, ହୋଲାଙ୍ଗୀରେ ନୂଆ ଏୟାରପୋର୍ଟ ନିର୍ମାଣ କରାଯାଇଛି । ସ୍ୱାଧୀନତା ସମୟରେ ଦେଶରେ କେବଳ ୧ ପ୍ରତିଶତ ଲୋକଙ୍କ ପାଖରେ ଶୌଚାଳୟ ଥିଲା । ୧୯୭୫ରେ ଦେଶରେ ମାତ୍ର ୨ ପ୍ରତିଶତ ଶୌଚାଳୟ ଥିଲା । ହେଲେ ୨୦୧୪ରେ ମୋଦି ସରକାର ଅସିବା ପରେ ଏହା ଶତ ପ୍ରତିଶତ ହୋଇଛି । ସେହିପରି ଦେଶର ଶତପ୍ରତିଶତ ବିଜୁଳି ସେବା ପହଁଚିଛି ଏବଂ ୨୯ କୋଟି ଲୋକଙ୍କୁ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି ବୋଲି ସେ କହିଛନ୍ତି ।

ସେହିପରି ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଘରେ ଜଳ ପହଁଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ତାସହ ମାତ୍ର ୧ ହଜାର ଦିନରେ ୬ ଲକ୍ଷ ଗାଁରେ ଇଂଟରନେଟ ସେବା ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ହେଲେ କାହିଁକି କିଛି ରାଜନୈତିକ ଦଳ କ୍ଷମତାରେ ରହିବା ପରେ ମଧ୍ୟ ଆଇନ ଅନୁଯାୟୀ ଏମଏସପି ଆଣିବାରେ ସକ୍ଷମ ହୋଇ ପାରି ନଥିଲେ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତିା  ମୋଦି ସରକାରଙ୍କ ଗତ ୬ ବର୍ଷ ମଧ୍ୟରେ ଏମଏସପି ରେକର୍ଡ ବୃଦ୍ଧି କରିଛନ୍ତି । ହେଲେ ବିରୋଧୀମାନେ ମିଛ ପ୍ରଚାର କରୁଛନ୍ତି ଏବଂ ଏମଏସପିରେ ଆମକୁ ପ୍ରଶ୍ନ ପଚାରୁଛନ୍ତି । ସେହିପରି ୩୪ ବର୍ଷର ଅପେକ୍ଷା ପରେ ଦେଶରେ ନୂଆ ଶିକ୍ଷା ନୀତି ଲାଗୁ କରାଯାଉଛି । ଶିକ୍ଷା, ନିଯୁକ୍ତି ଏବଂ କୌଶଳ ବୃଦ୍ଧି କରିବା ପାଇଁ ଏଭଳି ଶିକ୍ଷା ନୀତି ଅଣାଯାଇଛି । ବିଶ୍ୱ ନିକଟରେ କୋଭିଡ ମହାମାରୀ ସହ ଲଢେଇ କରିଛି । ଏଥିରେ ଭାରତ ମଧ୍ୟ ଏହାର ପାରଦର୍ଶିତ ଦେଖାଇଛି । ଦେଶବାସୀଙ୍କ ସୁରକ୍ଷା ସହ ବିଶ୍ୱବାସୀଙ୍କୁ ବି ସୁରକ୍ଷା ଦେଇଛି ଭାରତ । ସେହିପରି ଗରିବ କଲ୍ୟାଣ ରୋଜଗାର ଯୋଜନା ମଧ୍ୟ ଆରମ୍ଭ କରାଯାଇଛି । ଏଥିରେ ଦେଶର ୧୧୬ ଜିଲ୍ଲା ସାମିଲ କରାଯାଇଥିଲା । ଏଥିରେ ଅଧିକାଂଶ ଜିଲ୍ଲା ପୂର୍ବ ଭାରତର ।

ମୋଦି ସରକାର ଦେଶରେ ଉର୍ଜା କ୍ରାନ୍ତି ଆଣିବା ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି । ସମସ୍ତଙ୍କୁ ସମାନ ଏବଂ ସର୍ବନିମ୍ନ ମୂଲ୍ୟରେ ଉର୍ଜା ପହଁଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ମହାମାରୀରେ ଘରକୁ ଆସିଥିବା ଶ୍ରମିକଙ୍କ ପାଇଁ ମଧ୍ୟ ରୋଜଗାର ବ୍ୟବସ୍ଥା ହୋଇଛି । ୫୦ ହଜାର କୋଟିର ପ୍ୟାକେଜ ଏବଂ ୫୦ କୋଟି ଶ୍ରମଦିବସ କରାଯାଇଛି ବୋଲି ରାଜ୍ୟସଭାରେ ଧର୍ମେନ୍ଦ୍ର କହିଛନ୍ତି ।