ଏହା ଓଡ଼ିଆଙ୍କ ସରକାର, ଦଳେ ବିଧାୟକ କି ସାଂସଦଙ୍କ ସରକାର ନୁହେଁ । ଏ ଗୁରୁଦାୟିତ୍ୱକୁ ବୁଝିବାକୁ ପଡିବ : ଧର୍ମେନ୍ଦ୍ର ପ୍ରଧାନ

229

କନକ ବ୍ୟୁରୋ : ଭୁବନେଶ୍ୱରରେ ନବନିର୍ବାଚିତ ବିଧାୟକ ଓ ସାଂସଦଙ୍କ ପାଇଁ ବିଜେପିର ସମ୍ବର୍ଦ୍ଧନା ସଭା । ଏହି କାର୍ଯ୍ୟକ୍ରମରେ ନିର୍ବାଚିତ ବିଧାୟକ ଓ ସାଂସଦ ଯୋଗ ଦେଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ କହିଛନ୍ତି, ବିଜେପି କେବଳ ଏହି ବିଜୟର ହକଦାର ନୁହେଁ । ବରଂ ଏହି ବିଜୟର ହକଦାର ସାଢେ ୪ କୋଟି ଓଡ଼ିଶାବାସୀ । ଓଡ଼ିଆ ଅସ୍ମିତା ପାଇଁ ଯେଉଁ ମହାପୁରୁଷ ଲଢେଇ କରିଥିଲେ ସେମାନେ ହିଁ ଏହି ବିଜୟର ହକଦାର । ବିଜେପିର ଶୀର୍ଷ ନେତୃତ୍ୱ ଆଞ୍ଚଳିକ ଆବେଗ ଓ ସମ୍ବେଦନଶୀଳତାକୁ ସ୍ୱୀକୃତି ଦେଇଥିଲେ । ଜାତୀୟ ଦଳ ହୋଇ କିଭଳି ବିଜେପି ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଥିଲା ତାହା ଗବେଷଣାର ବିଷୟବସ୍ତୁ ପାଲଟିବ ।

ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆମର ଯେପରି ଭୁଲ ନହେଉ ସେନେଇ ମହାପ୍ରଭୁ ଆଶୀର୍ବାଦ କରନ୍ତୁ । ଏ ସରକାର କଠିନ ପରିଶ୍ରମ କରିବ । ଏ ସରକାର ପଛରେ ପ୍ରଧାନମନ୍ତ୍ରୀଙ୍କ ଭଳି ନେତୃତ୍ୱ ଛିଡା ହୋଇଛନ୍ତି । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ସମସ୍ୟା ରହିଛି, ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହୋଇଛନ୍ତି । କିନ୍ତୁ ଜୁନ୍ ୪ ତାରିଖରୁ ଓଡ଼ିଶାର ଲୋକ ବିଜେପି ହାତରେ ଦାୟିତ୍ୱ ଦେଇଛନ୍ତି । ଓଡ଼ିଆ ଲୋକଙ୍କ ଆଶୀର୍ବାଦ କାରଣରୁ ଏବେ ଜାତୀୟ ରାଜନୀତିରେ ଓଡ଼ିଶା କେନ୍ଦ୍ରବିନ୍ଦୁ ପାଲଟିଛି ।

ଓଡ଼ିଆ ଲୋକଙ୍କ ପାଇଁ ଅସ୍ମିତାର ଅର୍ଥ ହେଉଛି ସ୍ୱାବଲମ୍ବୀ ହେବା, ବିଭିନ୍ନ କ୍ଷେତ୍ରରେ ସଶକ୍ତ ହେବା ଏବଂ ଆତ୍ମନିର୍ଭରଶୀଳ ହେବା । ଏହାକୁ ପୂରା କରିବାକୁ ତପସ୍ୟା କରିବାର ସମୟ ଆସିଛି । କୋଟି କୋଟି ଲୋକଙ୍କର ଉକ୍ରଣ୍ଠା ଓ ଆକାଂକ୍ଷା ହିଁ ଏହି ତପସ୍ୟା ସହ ଯୋଡି ହୋଇ ରହିଛି । ଏହା ହିଁ ଓଡ଼ିଆ ଅସ୍ମିତା । ଆଜି ଭାରତର ସଂଘୀୟ ବ୍ୟବସ୍ଥାର ଓଡ଼ିଶା ବେଶ ପ୍ରଭାବଶାଳୀ ପାଲଟିଛି । ନୂଆ ଓଡ଼ିଶା ହେଲେ ହିଁ ବିକଶିତ ଭାରତ ହେବ । ଏହି ଯାତ୍ରାରେ ସମସ୍ତେ ସକ୍ରିୟ ଏବଂ ଦାୟିତ୍ୱବାନ ହେବା ଉଚିତ୍ । ଗାଁ ଗାଁରେ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।