ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ଧର୍ମେନ୍ଦ୍ରଙ୍କ କଡା ପ୍ରତିକ୍ରିୟା । କହିଲେ, ବାଲାଟ ପେପରରେ ହାରିଯିବା ଭୟରେ ହିଂସାର ରାସ୍ତା ଆପଣାଇଲେଣି ବିରୋଧୀ, ବୁଲେଟର ଜବାବ ବାଲାଟରେ ଦେବେ ଓଡିଶାବାସୀ

190

କନକ ବ୍ୟୁରୋ: ଖୋର୍ଦ୍ଧାର ବିଜେପି ନେତାଙ୍କୁ ହତ୍ୟା ଘଟଣାରେ କଡା ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଘଟଣାରେ ଶାନ୍ତି  ସହ ଧୈର୍ଯ୍ୟ ଧରିବାକୁ କର୍ମୀଙ୍କୁ ନିବେଦନ କରିବା ସହ  ବୁଲେଟର ଜବାବ ବାଲାଟରେ ଦେବାକୁ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ର କହିଛନ୍ତି, ବିଜେପିର ଲକ୍ଷାଧିକ କର୍ମକର୍ତ୍ତାଙ୍କୁ ବୁଝାଇବାକୁ ଚାହୁଁଛି କି ଏଇଟା ଧୈର୍ଯ୍ୟ ଧରିବାର ସମୟ । ଯେଉଁମାନଙ୍କର ବାଲାଟ ପେପରରେ ହାରି ଯିବାର ଡର ରହିଲାଣି । ସେମାନେ ହିଁ ହିଂସାର ରାସ୍ତା ଆପଣାଉଛନ୍ତି । ହିଂସାର ଉତର ଗଣତନ୍ତ୍ରରେ ହିଂସା ନୁହେଁ । ବରଂ ଗୁଳି ଉତର ଭୋଟରେ ଦେବାକୁ ପଡିବ । ଭୋଟରେ ପରାଜୟ କରାଇଲେ ହିଁ ହିଂସାକାରୀଙ୍କ ସଠିକ୍ ଉତର ମିଳିବ ବୋଲି ଧର୍ମେନ୍ଦ୍ର  ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସେ ଆହୁରି କହୁଛନ୍ତି ଯେ, ବିଜେପି ଉପରେ ଯେଉଁ ମାରିବା ପର୍ଯ୍ୟନ୍ତ ଆକ୍ରମଣ ଆରମ୍ଭ ହୋଇଛି । ପଂଚାୟତ ନିର୍ବାଚନରେ ୧୭ରୁ ଅଧିକ ରାଜନୈତିକ ହତ୍ୟା ହୋଇଥିଲା । ଆଉ ବଡ ପୋଖରୀଆରେ ମଧ୍ୟ ପୂର୍ବରୁ ମଧ୍ୟ ବିଜେପି କର୍ମୀଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ପାଦ ତଳୁ ମାଟି ଖସିଲା ବେଳେ ଏପରି ବିଭତ୍ସ କାଣ୍ଡ, କ୍ରୃର କାଣ୍ଡ ପ୍ରତିପତିଶାଳୀ ବ୍ୟକ୍ତିମାନେ କରିଥାନ୍ତି । କିନ୍ତୁ ଗଣତନ୍ତ୍ରରେ ଏପ୍ରକାରର ହିଂସାର ସ୍ଥାନ ନାହିଁ । ଲୋକ ନିର୍ଭୟ ହେବା ଉଚିତ । ଭାରତୀୟ ଜନତା ପାର୍ଟି ବଦ୍ଧପରିକର ବୋଲି କହିବା ସହ ଦଳୀୟ କର୍ମକର୍ତ୍ତାକୁ ଧୈଯ୍ୟ ରଖିବାକୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସେପଟେ, ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଟ୍ୱିଟରେ ବିଜେଡି ସୁପ୍ରିମୋ ଲେଖିଛନ୍ତି, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଖୋର୍ଦ୍ଧାରେ ହୋଇଥିବା ହିଂସାକୁ ସେ ଦୃଢ ନିନ୍ଦା କରିଛନ୍ତି । ଏଥିସହ ଘଟଣାକୁ ଗୁରୁତର ସହ ନେବାକୁ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।