କମ୍ପୁଛି ପିପିଲି ମୈଦାନ । ପ୍ରଚାର ଜୋରଦାର, ଭୋଟ ହାତେଇବାକୁ ଚାଲିଛି କସରତ ।

164

କନକ ବ୍ୟୁରୋ : ପିପିଲିରେ ଜମିଛି ଜୋରଦାର ପ୍ରଚାର । ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ ଓ ସମର୍ଥକ । ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଜୋରସୋରରେ ଲାଗିପଡ଼ିଛନ୍ତି ନେତା ଓ ମନ୍ତ୍ରୀ । ବିଜେଡିର ଗଡ଼ କୁହାଯାଉଥିବା ପିପିଲିରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଷ୍ଟାର ପ୍ରଚାରକ ଧର୍ମେନ୍ଦ୍ର ପ୍ରଧାନ । ମୋଦୀ ପଠାଉଥିବା ଫନି ସହାୟତା ମିଳିନଥିବା କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର ।

ପିପିଲି ଉପନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ଜୋରଦାର ପ୍ରଚାର । ସମୟ ସରି ଆସୁଥିବା ବେଳେ ପିପିଲିରେ ସରଗରମ ହୋଇଛି କ୍ୟାମ୍ପେନିଂ । ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପିର ଷ୍ଟାର ପ୍ରଚାରକ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ହାତରୁ ଗଡ଼କୁ ଛଡେଇ ନେବାପାଇଁ ଦଳୀୟ କର୍ମୀ ନେତାଙ୍କୁ ସାଙ୍ଗରେ ନେଇ ମାରାଥନ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପିପିଲି ଉତରା ଛକଠାରୁ ପ୍ରଚାର ଶୋଭାଯାତ୍ରାର ବାହାରି ଗୋବିନ୍ଦପୁର, ଜଗନ୍ନାଥପୁର, ନୂଆ ଶାସନ, ରୂପଦେଇପୁର ପଞ୍ଚାୟତରେ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିଛନ୍ତି । ଫୋନି ସହାୟତାରେ ପାତରଅନ୍ତର ଏଥର ବିଜେଡିର ପରାଜୟର କାରଣ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ସେପଟେ ଛୋଟ ଛୋଟ ବୈଠକ କରି ରୁଦ୍ର ମହାରଥୀଙ୍କୁ ଜିତାଇବା ପାଇଁ ଜୋରଦାର ଉଦ୍ୟମ କରିଛି ବିଜେଡି । ବିଧାୟକ ଉମା ସାମନ୍ତରାୟ, ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂଦେଓ, ଦେବୀ ରଂଜନ ତ୍ରିପାଠୀ, ପ୍ରଭାତ ବିଶ୍ୱାଳ ଆଦି ଦଳର ତୁଙ୍ଗ ନେତା, ଡେଲାଙ୍ଗ ଓ ପିପିଲିର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି । ବିରୋଧୀଙ୍କ ଅଭିଯୋଗ ଭିତିହୀନ ଓ ଏହାର ଜବାବ, ଜନତା ଜନସାଧାରଣ ଦେବେ ବୋଲି କହିଛନ୍ତି ବିଜେଡି ନେତା ।

ସେହିପରି ପିପିଲିରେ କଂଗ୍ରେସର ପ୍ରଚାର ମଙ୍ଗ ଧରିଛନ୍ତି ବରିଷ୍ଠ ନେତା ଚିରଞ୍ଜିବି ବିଶ୍ୱାଳ । ବିଧାୟକ ସୁରେଶ ରାଉତରାୟ, ରୁଦ୍ର ରାଜୁଙ୍କ ସହ ମିଶି ଡେଲାଙ୍ଗରେ ପ୍ରଚାର କରିଛନ୍ତି । ଅର୍ଥ ଦେଇ ବିଜେଡି ଓ ବିଜେପି ଭୋଟରଙ୍କୁ ପ୍ରଲୋଭିତ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ । ଉପନିର୍ବାଚନରେ ବିଜେଡିକୁ ବାତ୍ୟା ଫୋନି ଗାଦିଚ୍ୟୁତ କରିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା । ଶେଷ ମୁହୂର୍ତରେ ଭୋଟରଙ୍କ ମନ ବଦଳାଇକୁ ତିନି ଦଳର ନେତା ମାରାଥନ ପ୍ରଚାର କରୁଛନ୍ତି ।