ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଓ ସୁରକ୍ଷା ସହ ସାଲିସ କରାଯିବନାହିଁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢୋକ୍ତି ।

82

କନକ ବ୍ୟୁରୋ: ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଓ ସୁରକ୍ଷା ସହ କୌଣସି ସାଲିସ କରାଯିବ ନାହିଁ । ରାଜ୍ୟସଭାରେ ଅନୁସୂଚିତ ଜାତି ଓ ଜନଜାତି ସମ୍ବିଧାନ ଓ ସଂଶୋଧନ ବିଲ୍ ଉପରେ ମତ ରଖି ଏଭଳି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ୪ଟି ବିଶେଷରୂପ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ ସହ ୧୫ଟି ଜନଜାତି ସମୁଦାୟରେ ୫୦ରୁ ଊଦ୍ଧ୍ୱର୍ ଉପଜାତିଙ୍କୁ ତାଲିକାରେ ସାମିଲ କରାଯାଇଛି । ଯେଉଁମାନେ ଦୀର୍ଘ ୭୫ ବର୍ଷରୁ ନିଜର ସାମ୍ବିଧାନିକ ଅଧିକାରରୁ ବଂଚିତ ଥିଲେ, ସେମାନଙ୍କୁ ମୋଦୀ ସରକାରରେ ସୁରକ୍ଷା ସହ ଅଧିକାର ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଓଡ଼ିଶା ସରଫରୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ୨୦୦୨ ପରେ ୨୦୨୪ରେ ଓଡ଼ିଶାର କିଛି ଜନଜାତି ସମୁଦାୟଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଦିଆଯାଇଛି । ଜନଜାତିଙ୍କ ଅଧିକାରକୁ ସୁରକ୍ଷା ପାଇଁ ସମ୍ବିଧାନରେ ପ୍ରାବଧାନ ରହିଛି । କିନ୍ତୁ ଅନେକ ସମୟରେ ସମ୍ବିଧାନକୁ ବଦଳାଇବାର ପ୍ରୟାସ କରାଯାଇଛି । ଓଡ଼ିଶାରେ ମଧ୍ୟ ଏପରି ଦୁର୍ଭାଗ୍ୟଜନକ ପଦକ୍ଷେପ ନିଆଯାଇଥିଲା ।

ନିକଟରେ ଓଡ଼ିଶାରେ ଆଦିବାସୀଙ୍କ ଜମି ବିକ୍ରି କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଥିଲା । କିନ୍ତୁ ବିରୋଧ ପରେ ନିଷ୍ପତିକୁ ପ୍ରତ୍ୟାହାର କରିଥିଲେ ରାଜ୍ୟ ସରକାର । ତେଣୁ ଜନଜାତିଙ୍କ ସାମ୍ବିଧାନିକ ଅନୁମୋଦନ ଅଧିକାର ସହ ସାଲିସ କରିବାର ଅଧିକାର ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।