କନକ ବ୍ୟୁରୋ: ବିଧିବଦ୍ଧଭାବେ ଦ୍ୱିତୀୟ ଇନିଂସ ଆରମ୍ଭ କଲେ ମୋଦି ସରକାର । ରାଷ୍ଟ୍ରପତି ଭବନରେ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ଆଉ ପୁଣି ଥରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ଓଡ଼ିଆ ପୁଅ ତଥା ପୂର୍ବ ସରକାରର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦିଙ୍କ ସହ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟଗଣ ମଧ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ତେବେ ଆସନ୍ତୁ ଜାଣିବା ପୁର୍ନବାର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବାଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ କ୍ୟାରିୟର ବିଷୟରେ କିଛି ତଥ୍ୟ ।
• ଯୁବାବସ୍ଥାରେ ୩୦ ବର୍ଷରେ ବିଧାୟକ ନିର୍ବାଚିତ ହେଲେ । ୨୦୦୦ ରୁ ୨୦୦୪ ବିଧାନସଭା ବିତର୍କରେ ସକ୍ରିୟ । ଅଂଶଗ୍ରହଣ କରି ନିଜ ପାଇଁ ଏକ ବିଶେଷ ସ୍ଥାନ ତିଆରି କଲେ । ସେଥିପାଇଁ ଶ୍ରେଷ୍ଠ ବିଧାୟକର ସମ୍ମାନ ଉକ୍ରଳମଣି ପ୍ରତିଭା ସମ୍ମାନ ମିଳିଲା ।
• ବିଏ ପ୍ରଥମ ବର୍ଷର ଛାତ୍ର ଭାବରେ ତାଲଚେର କଲେଜ ଛାତ୍ର ସଂସଦର ସଭାପତି ଭାବରେ ନିର୍ବାଚିତ ହେବା ସହ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଛାତ୍ର ନେତୃତ୍ୱ ନେଇ ୧୯୯୦ ସୁଧା ଓଡିଶାରେ ଜଣେ ଲଢୁଆ ଛାତ୍ରନେତା ହିସାବରେ ଛାତ୍ର-ଯୁବ ସମାଜରେ ଏକ ପରିଚୟ ସୃଷ୍ଟି କଲେ ।
• ଛାତ୍ର ସଂଗଠନ ଏବିଭିପିର ରାଷ୍ଟ୍ରୀୟ ସଂପାଦକ ଓ ରାଜ୍ୟ ଏବିଭିପିରେ ନେତୃତ୍ୱ ଓ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସହ ସାରା ଓଡିଶାକୁ ତନ୍ନତନ୍ନ କରି ବୁଲି ଛାତ୍ର ସଂଗଠନକୁ ମଜବୁତ କରିଥିଲେ ଧର୍ମେନ୍ଦ୍ର ।
• ୨୦୦୪ ରୁ ୨୦୦୯ ଦେବଗଡ ନିର୍ବାଚନମଣ୍ଡଳିରୁ ସାଂସଦ ଭାବରେ ସଂସଦରେ ଭଲ ପ୍ରଦର୍ଶନ ପାଇଁ ଦେଶର ସମ୍ଭ୍ରାନ୍ତ ଗଣମାଧ୍ୟମ ଗୁଡିକ ବେଷ୍ଟ ପରଫରର୍ମିଂ ଏମପି ଭାବରେ ଆପଣଙ୍କ ନାଁ ଆଲୋଚନା ହୋଇଥିଲା ।
• ବିଜେପିରେ ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ, ଥରେ ରାଷ୍ଟ୍ରୀୟ ସଂପାଦକ ଓ ଦୁଇଥର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଭାବରେ ସାଙ୍ଗଠନିକ ଓ ନିର୍ବାଚନ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ।
• ବିହାର, କର୍ଣ୍ଣାଟକ, ଛତିଶଗଡ, ଝାଡଖଣ୍ଡ, ଉତରାଖଣ୍ଡ ଆଦି ରାଜ୍ୟର ନିର୍ବାଚନ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ।
• ଗତ ଗୁଜୁରାଟ ବିଧାନସଭା ନିର୍ବାଚନ ସମୟରେ ଯେତେବେଳେ ଜିଏସଟି ଓ ନୋଟବନ୍ଦୀ ଯୋଗୁଁ କ୍ଷୁଦ୍ର ବ୍ୟବସାୟୀ ଗୋଷ୍ଠୀ ବିଜେପି ବିରୁଧରେ ମତଦେବେ ବୋଲି ଅଡ଼ି ବସିଥିଲେ ସେତେବେଳେ ଦଳ ତାଙ୍କୁ ସୁରଟରେ ନିର୍ବାଚନ ପରିଚାଳନାର ଦାୟିତ୍ୱ ଦେଇଥିଲା । ଯେଉଁଥିରେ ଦଳ ରାଜ୍ୟର ଅନ୍ୟ ଅଂଚଳଠାରୁ ଅଧିକ ନିର୍ବାଚନୀ ସଫଳତା ପାଇଥିଲା ।
• ଗତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ଏନସିପିର ଗଡ ପୁଣେ ଏବଂ ଆଖପାଖ ଅଂଚଳରେ ପ୍ରଚାର କାମରେ ଲାଗିଥିଲେ । ଏନସିପି ଗଡରେ ଗେରୁଆ ଝଣ୍ଡା ଉଡି ଆଶାତୀତ ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ହୋଇଥିଲେ ।
• ପ୍ରଥମ ଓଡିଆ ଭାବରେ ଦେଶର ରାଜନୈତିକ ଦୃଷ୍ଟିରୁ ସବୁଠୁ ସଜାଗ ଏବଂ ସମ୍ବେଦନଶୀଳ ବିହାର ଭଳି ରାଜ୍ୟରୁ ରାଜ୍ୟସଭାକୁ ଯାଇଥିଲେ । ପୁଣି ଦ୍ୱିତୀୟ ଥର ଆଉ ଗୋଟିଏ ବଡ ରାଜ୍ୟ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଗଲେ ଯାହା ତାଙ୍କ ରଜାନ÷ତିକ ପାରଦକୁ ଉଚ୍ଚସ୍ଥାନରେ ପହଁଚାଇଛି ।