ଓଡିଶା ଚାଷୀଙ୍କୁ ମୋଦି ସରକାରଙ୍କ ସହାୟତାର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ: ଟ୍ୱିଟ କରି ଧର୍ମେନ୍ଦ୍ର ପ୍ରଧାନ କହିଲେ, ଗତ ୬ ବର୍ଷରେ ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛି କେନ୍ଦ୍ର

103

କନକ ବ୍ୟୁରୋ: ଓଡିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କାର ସହାୟତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଷୀଙ୍କୁ ମୋଦି ସରକାର ସହାୟତା କେତେ ଟଙ୍କାର ସହାୟତା ଦେଇଛନ୍ତି ତାର ହିସାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀ ଟ୍ୱିଟ୍ କରି ଜଣାଇଛନ୍ତି, କେନ୍ଦ୍ର ସରକାର ଚାଷୀଙ୍କ ଠାରୁ ୫୩ ହଜାର ୬୮୦ କୋଟି ୨୫ ଲକ୍ଷ ଟଙ୍କାର ଧାନ କିଣିଛନ୍ତି । ଧାନର ଏମଏସପି କ୍ୱିଂଟାଲ ପ୍ରତି ଦର ୧୩ଶହ ୬୦ ଟଙ୍କାରୁ ବୃଦ୍ଧି ପାଇଁ ୧୮ଶହ ୬୮ ଟଙ୍କା ହୋଇଛି ।

୨୦୧୮-୧୯ ଠାରୁ ଚାଷୀଙ୍କ ଆକାଉଁଟକୁ ସିଧାସଳଖ ୨୭ଶହ ୩୧ କୋଟି ୮୭ ଲକ୍ଷ ଟଙ୍କା ପଠାଇଛନ୍ତି । ୨୦୧୬-୧୭ ଠାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡିଶାର ଚାଷୀଙ୍କୁ ସହାୟତା ପ୍ରଦାନ କରିଛନ୍ତି ମୋଦି ସରକାର । ଫସଲ ବୀମାରେ ୨୦ କୋଟି ୯୪ ଲକ୍ଷ ଚାଷୀଙ୍କୁ ୪ ହଜାର ୪୨୪ କୋଟି ୮୫ ଲକ୍ଷ ଟଙ୍କା ଦିଆଯାଇଛି । ମୋଦି ସରକାରରେ ଅନ୍ନଦାତାଙ୍କ ହାତମୁଠା ଅଧିକ ମଜବୁଦ୍ ହୋଇଥିବା ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।