ଧର୍ମଘଟ ସ୍ଥଳରେ ଧର୍ମେନ୍ଦ୍ର: ସରକାରଙ୍କ ବିରୋଧରେ ଆନ୍ଦୋଳନରତ ଶିକ୍ଷକଙ୍କୁ ଜଣାଇଲେ ନୈତିକ ସମର୍ଥନ, କହିଲେ ଦାବି ମାନି ନିଅନ୍ତୁ ସରକାର

27

କନକ ବ୍ୟୁରୋ: ଶିକ୍ଷକଙ୍କ ଆନ୍ଦୋଳନରେ ପୁଣି ଲାଗିଲା ରାଜନୀତିର ଛିଟା । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିକ୍ଷକଙ୍କ ପାଖରେ ପହଂଚି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ଆଉ ଦାବି କରିଛନ୍ତି- ରାଜ୍ୟ ସରକାର ଶିକ୍ଷକଙ୍କ ଦାବି ଗ୍ରହଣ କରି ନିଅନ୍ତୁ । ଶିକ୍ଷକଙ୍କ ଆନ୍ଦୋଳନ ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜଡ଼ିତ ଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏପଟେ ୨୩ ଦିନରେ ପହଂଚିଛି ଶିକ୍ଷକଙ୍କ ଆନ୍ଦୋଳନ । ଆସନ୍ତାକାଲିଠାରୁ ବ୍ଲକ୍ ସ୍ତରରେ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି ସଂଘ ।

ବିଭିନ୍ନ ଦାବି ନେଇ ଶିକ୍ଷକ କରୁଥିବା ଆନ୍ଦୋଳନ ଧିରେ ଧିରେ ତିବ୍ର ହେଉଥିବା ବେଳେ, ଏହାର ତିବ୍ରତାକୁ ଆହୁରୀ ବଢ଼ାଇ ଦେଇଛି ରାଜନୈତିକ ନେତାଙ୍କ ଉପସ୍ଥିତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍ ଆନ୍ଦୋଳନ ସ୍ଥଳରେ ପହଁଚି ଶିକ୍ଷକଙ୍କ ହକ୍ କଥା କହିଛନ୍ତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି-ଏହି ଆନ୍ଦୋଳନ କେବଳ ଶିକ୍ଷକଙ୍କ ଭିତରେ ସୀମିତ ନୁହେଁ କାରଣ ଲକ୍ଷ ଲକ୍ଷ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ସହ ଜଡ଼ିତ । ତେଣୁ ରାଜ୍ୟ ସରକାର ଶିକ୍ଷକଙ୍କ ଦାବି ମାନି ନିଅନ୍ତୁ ।

ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ୨୩ ଦିନରେ ପହଂଚିଛି ଶିକ୍ଷକଙ୍କ ଆନ୍ଦୋଳନ । ଆଉ ଏହାରି ଭିତରେ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଏକ ପ୍ରକାର ଠପ୍ ହୋଇଯାଇଛି ପାଠପଢ଼ା । ଚାକିରି ସର୍ତାବଳୀରେ ସଂଶୋଧନ ପାଇଁ ଦାବି କରି ଆସୁଛି ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ।

ଗୋଟିଏ ପଟେ ଶିକ୍ଷକମାନେ ନିଜ ଜିଦ୍ରେ ଅଟଳ ରହି ଅହୋରାତ୍ର ଧାରଣା ଦେଉଥିବା ବେଳେ ସରକାର ଶିକ୍ଷକଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିଛନ୍ତି । ଏମିତି କି କାର୍ଯ୍ୟରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେତାବନୀ ଦେଇଛନ୍ତି ସରକାର । ଏହି ଜିଦ୍ ଓ ଚେତାବନୀ ଭିତରେ କିନ୍ତୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ନେଇ ଏକ ଅନିଶ୍ଚିତତା ସୃଷ୍ଟି ହୋଇଛି ।