କନକ ବ୍ୟୁରୋ : ପାରାଦୀପ- ଚଣ୍ଡିଖୋଲ ଜାତୀୟ ରାଜପଥ ନଂ ୫-ଏକୁ ସଂଯୋଗ କରୁଥିବା ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଚିଠି ପ୍ରଦାନ କରିବା ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବିଜେପି ନେତା ଶାରଦା ପ୍ରଧାନଙ୍କ ଅଭିଯୋଗ ପତ୍ର ଆଧାରରେ ଏ ସମ୍ପର୍କରେ ଲେଖିଥିବା ଚିଠିକୁ ଗଡକରୀଙ୍କୁ ପ୍ରଦାନ କରିଛନ୍ତି ଧର୍ମେନ୍ଦ୍ର । ଓଳାଶୁଣି ଛକରେ ଗୋବରୀ ନାଳ ଉପରେ ଥିବା ସଂକୀର୍ଣ୍ଣ ବ୍ରିଜ ଯୋଗୁଁ ଜଳ ନିଷ୍କାସନର ସମସ୍ୟା ଉପୁଜୁଛି । ଏହା ଦ୍ୱାରା କଟକ ଜିଲ୍ଲାର ସାଲେପୁର ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୩୦ଟି ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକମାନେ ପ୍ରଭାବିତ ହେଉଛନ୍ତି । ଜନବସତି ଅଞ୍ଚଳ ଓ ଚାଷ ଜମି ବିଶେଷ ଭାବେ ପ୍ରଭାବିତ ହେଉଛି । ପ୍ରତି ବର୍ଷ ଏହି ଅଞ୍ଚଳର ଲୋକମାନେ ବନ୍ୟା ଭଳି ପରିସ୍ଥିତି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଓଳାଶୁଣି ଛକ ଠାରେ ପାରାଦୀପ- ଚଣ୍ଡିଖୋଲ ଜାତୀୟ ରାଜପଥ ନଂ ୫ଏକୁ ସଂଯୋଗ କରୁଥିବା ବ୍ରିଜର ସମ୍ପ୍ରସାରଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ @nitin_gadkari ଜୀଙ୍କୁ ଚିଠି ପ୍ରଦାନ ସହ ସାକ୍ଷାତ ଆଲୋଚନା କଲି । pic.twitter.com/XZbPy0grco
— Dharmendra Pradhan (@dpradhanbjp) September 28, 2022
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ ଯୋଜନାରେ ୬ ଲେନ୍ ବିଶିଷ୍ଟ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ୮ ଲେନରେ ପରିଣତ ହେବାକୁ ଯାଉଛି ଏବଂ ଏହି ସଡ଼କ ପଥର ସମ୍ପ୍ରସାରଣ ହେବା ଦ୍ୱାରା ଯାତାୟତ ସୁଗମ ହେବା ସହ ଅର୍ଥନୈତିକ କରିଡରକୁ ମଧ୍ୟ ଗତି ଦେବ । ଉକ୍ତ ବ୍ରିଜର ସମ୍ପ୍ରସାରଣ ନେଇ ଅନୁଧ୍ୟାନ କରିବା ସହ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଗଡକରୀ ପ୍ରତିଶ୍ରୁତି ଦେଇଛନ୍ତି ।