ପଶ୍ଚିମବଙ୍ଗରେ ଉଦ୍ୟୋଗୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ୪୦ ବର୍ଷ ଧରି ପଶ୍ଚିମବଙ୍ଗର ଗୌରବ ନଷ୍ଟ ହେଉଛି ।

94

କନକ ବ୍ୟୁରୋ: ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ବିଗତ ୪୦ ବର୍ଷ ଧରି ପଶ୍ଚିମବଙ୍ଗର ଗୌରବ ନଷ୍ଟ ହେଉଛି । ରବିବାର ପଶ୍ଚିମବଙ୍ଗର କୋଲକାତା ଠାରେ ବିଶିଷ୍ଟ ଉଦ୍ୟୋଗୀଙ୍କ ସହ ରାଜ୍ୟର ଶିଳ୍ପାୟନର ବିକାଶ ଏବଂ ଆର୍ôଥକ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବା ଅବସରରେ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅତୀତରେ ପଶ୍ଚିମବଙ୍ଗ ଲବ୍ଧ ପ୍ରତିଷ୍ଠିତ ଥିଲା ଏବଂ ଦେଶର ଆବଶ୍ୟକତା ସମୟରେ ମାର୍ଗ ଦେଖାଉଥିଲା । କିନ୍ତୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ବିଗତ ୪୦ ବର୍ଷ ଧରି ପଶ୍ଚିମବଙ୍ଗର ଗୌରବ ସଙ୍କୁଚିତ ହୋଇଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ତେବେ ପଶ୍ଚିମବଙ୍ଗର ଗୌରବ କ୍ଷୁର୍ଣ୍ଣ କରିଥିବା, ଶିଳ୍ପାୟନର ବିକାଶ କରିନଥିବା ଏବଂ ଏଠାରେ ହିଂସା ଘଟାଉଥିବା ଲୋକଙ୍କୁ ପଶ୍ଚିମବଙ୍ଗର ନାଗରିକ ଚଳିତ ନିର୍ବାଚନରେ ଭୋଟ୍ ମାଧ୍ୟମରେ ଜବାବ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନ କେବଳ ନିର୍ବାଚନ ନୁହେଁ ବରଂ ରାଜ୍ୟରେ ନୂଆ ଯୁଗ ପାଇଁ ଧର୍ମଯୁଦ୍ଧ । କେବଳ ପଶ୍ଚିମବଙ୍ଗ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ କେଉଁଟି ଠିକ୍ ତାହା ସ୍ଥିର କରିବାକୁ ପଶ୍ଚିମବଙ୍ଗବାସୀଙ୍କ ହାତରେ ଦାୟିତ୍ୱ ନ୍ୟସ୍ତ ରହିଛି । ପଶ୍ଚିମବଙ୍ଗକୁ ସୁନାର ବଙ୍ଗଳା କରିବା ଉପରେ ଥିବା ସମ୍ଭାବନା ଉପରେ ସେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ର କଳ୍ପନା ରଖିଥିବା ବେଳେ ପୂର୍ବ ଏବଂ ଉତ୍ତର ପୂର୍ବାଂଚଳର ବିକାଶ କରିବା ଏହି ମିଶନର ଲକ୍ଷ୍ୟ ରହିଛି । ଏହି ଲକ୍ଷ୍ୟରେ ପଶ୍ଚିମବଙ୍ଗରେ ସବକା ସାଥ୍, ସବକା ବିକାଶ ଏବଂ ସବକା ବିଶ୍ୱାସ ମନ୍ତ୍ରରେ ଏମଏସଏମଇ ଶିଳ୍ପର ବୃଦ୍ଧି, ପୁଞ୍ଜିନିବେଶ ପାଇଁ ଏକ ଇକୋସିଷ୍ଟମ ତିଆରି କରିବା, ଭିତିଭୂମି, ନିଯୁକ୍ତି, ସ୍ୱାସ୍ଥ୍ୟ, ମହିଳା ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବା ନେଇ ସେ ଚର୍ଚ୍ଚା କରିଥିଲେ । ସୂଚନାଯୋଗ୍ୟ, ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ପାଣିହାଟୀରେ ଆୟୋଜିତ ନିର୍ବାଚନୀ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗବାସୀ ସୁନାର ବଙ୍ଗଳା ତିଆରି କରିବା ପାଇଁ ନିଶ୍ଚୟ ଭୋଟ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଥିଲେ ।