ସମ୍ବଲପୁର ଲୋକସଭାରୁ ଲଢ଼ିପାରନ୍ତି ଧର୍ମେନ୍ଦ୍ର ପ୍ରଧାନ: ଢେଙ୍କାନାଳ ଅପେକ୍ଷା ସମ୍ବଲପୁର ହୋଇପାରେ ସହଜ ବିକଳ୍ପ

115

କନକ ବ୍ୟୁରୋ: କେଉଁଠୁ ନିର୍ବାଚନ ଲଢିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜାରି ରହିଛି । ଢେଙ୍କାନାଳ ସହ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ସେ ପ୍ରାର୍ଥୀ ହେବା ନେଇ ଆଲୋଚନା ହେଉଛି । ଢେଙ୍କାନାଳ ଅପେକ୍ଷା ସମ୍ବଲପୁର ତାଙ୍କ ପାଇଁ ସହଜ ବିକଳ୍ପ ହୋଇପାରେ ବୋଲି କୁହାଯାଉଛି । କାରଣ, ସମ୍ବଲପୁରରେ ବିଜେପିର ଭଲ ପ୍ରଭାବ ରହିଛି । ଆଉ ଧର୍ମେନ୍ଦ୍ରଙ୍କ ବାରମ୍ବାର ସମ୍ବଲପୁର ଗସ୍ତ ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ଓଡିଶାରୁ ଲୋକସଭା ନିର୍ବାଚନ ଲଢିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଚ୍ଛା ପ୍ରକାଶ କରିବା ପରେ ଯେଉଁ ଦୁଇଟି ନିର୍ବାଚନ ମଣ୍ଡଳୀକୁ ନେଇ ଅଧିକ ଚର୍ଚ୍ଚା ହେଉଛି, ତାହା ହେଲା ସମ୍ବଲପୁର ଓ ଢେଙ୍କାନାଳ । ତେବେ କାହିଁକି ଢେଙ୍କାନାଳ ଅପେକ୍ଷା ସମ୍ବଲପୁର ସହଜ ବିକଳ୍ପ ହୋଇପାରେ ତାକୁ ନେଇ ରାଜନୈତିକ ପଣ୍ଡିତମାନେ ଅଙ୍କକଷା ଆରମ୍ଭ କରି ଦେଇଛନ୍ତି । ସମ୍ବଲପୁର ଲୋକସଭାରେ ୭ଟି ବିଧାନସଭା ଆସନ ରହିଛି ।

ବିଧାନସଭା                  ଦଳ

କୁଚିଣ୍ଡା                      ବିଜେଡି

ରେଙ୍ଗାଲି                    ବିଜେପି

ସମ୍ବଲପୁର                  ବିଜେପି

ରେଢ଼ାଖୋଳ               ବିଜେଡି

ଦେବଗଡ଼                   ବିଜେପି

ଛେଣ୍ଡିପଦା                   ବିଜେଡି

ଆଠମଲ୍ଲିକ                  ବିଜେଡି

ଏହି ୭ଟି ଆସନରୁ ସମ୍ବଲପୁର, ରେଢ଼ାଖୋଳ ଓ ଦେବଗଡ଼ ୩ଟି ବିଧାନସଭା ଆସନ ବିଜେପି ହାତରେ ରହିଛି । ସେହିପରି କୁଚିଣ୍ଡାରେ ବିଜେଡି ପ୍ରାର୍ଥୀ ଜିତି ଥିଲେ ମଧ୍ୟ ବିଜେପିର ବଡ଼ ପ୍ରଭାବ ରହିଛି । ଅବଶିଷ୍ଟ ୩ଟି ଆସନ କୁଚିଣ୍ଡା, ଛେଣ୍ଡିପଦା ଓ ଆଠମଲ୍ଲିକ ଆସନରେ ବିଜେଡି ବିଜୟୀ ହୋଇଛି । ତେବେ ଛେଣ୍ଡିପଦା ଓ ଆଠମଲ୍ଲିକ ଅନୁଗୁଳ ଜିଲ୍ଲାରେ ଆସୁଛି । ଯାହା ଧର୍ମେନ୍ଦ୍ର ପ୍ରଧାନଙ୍କ ଗୃହ ଜିଲ୍ଲା । ଯେଉଁଠି ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ପତ୍ନୀ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବାରୁ ଭୋଟରଙ୍କୁ ପ୍ରଭାବିତ କରିବା ସହଜ ।

ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସମୟରେ ଖିଣ୍ଡା ଗାଁକୁ ଯାଇ ସଭା କରିବା, ଭୁବନେଶ୍ୱରରେ ହୋଇଥିବା ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସାମିଲ ହେବା ଏବଂ ସମ୍ବଲପୁର ଜିଲ୍ଲାକୁ ବିଭିନ୍ନ ସମୟରେ ଗସ୍ତ କରି ଧର୍ମେନ୍ଦ୍ର ପ୍ରଧାନ ପରୋକ୍ଷରେ ସମ୍ବଲପୁର ପ୍ରତି ଥିବା ତାଙ୍କ ଆଗ୍ରହକୁ ପ୍ରକାଶ କରିଛନ୍ତି । ଧର୍ମେନ୍ଦ୍ର ନିଜେ ଚଷା ସଂପ୍ରଦାୟରୁ ଆସୁଥିବାରୁ ସମ୍ବଲପୁର ଚାଷୀ ଭୋଟରଙ୍କୁ ପ୍ରଭାବିତ କରିବାର ସମାର୍ଥ୍ୟ ମଧ୍ୟ ରହିଛି । ଏଭଳି ସ୍ଥିତିରେ ସମ୍ବଲପୁର ବାସୀ ମଧ୍ୟ ଧର୍ମେନ୍ଦ୍ରଙ୍କୁ ନେଇ ବେଶ ଆଶବାଦୀ ଅଛନ୍ତି ।

ଏସବୁ ଭିତରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ରଖିଥିବା ବୟାନ୍, ଏହି ଚର୍ଚ୍ଚାକୁ ବଢ଼ାଇ ଦେଇଛି । ଧର୍ମେନ୍ଦ୍ର ସମ୍ବଲପୁର ଲୋକସଭା କ୍ଷେତ୍ରରୁ ଲଢ଼ିଲେ ୭ରୁ ୭ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହେବ ବୋଲି କହିବା ପରେ ଏହି ପ୍ରସଙ୍ଗରେ ଜବାବ୍ ରଖିଛି ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା । ସେ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଯେଉଁଠୁ ଲଢ଼ନ୍ତୁ, ପ୍ରଥମେ ନିଜ ଦଳକୁ ସଜାଡନ୍ତୁ । ଦଳର ସଂଗଠନକୁ ମଜବୁତ କରନ୍ତୁ । ବିଜେଡି ମୁକାବିଲା କରିବାକୁ ପ୍ରସ୍ତୁତ ଅଛି ।

ସମ୍ବଲପୁର ଅପେକ୍ଷା ଢେଙ୍କାନାଳ ଲୋକସଭା ଧର୍ମେନ୍ଦ୍ରଙ୍କୁ ଏଥିପାଇଁ ଅଧିକ ଆହ୍ୱାନପୂର୍ଣ୍ଣ ହୋଇପାରେ କାରଣ, ଢ଼େଙ୍କାନାଳ ଲୋକସଭାରେ ଆସୁଥିବା ୭ଟି ବିଧାନସଭାରେ ଜଣେ ହେଲେ ବିଜେପି ବିଧାୟକ ନାହାଁନ୍ତି । ସେହିପରି ଧର୍ମେନ୍ଦ୍ରଙ୍କ ଗୃହ ଜିଲ୍ଲାରୁ ଅନୁଗୁଳରୁ ଏହି ଲୋକସଭା ଆସନରେ ମାତ୍ର ୩ଟି ଆସନ ରହିଛି । ଏସବୁ ଦୃଷ୍ଟିକୁ ଦେଖିଲେ ଧର୍ମେନ୍ଦ୍ରଙ୍କ ପ୍ରଥମ ପସନ୍ଦ ହୋଇପାରେ ସମ୍ବଲପୁର ଲୋକସଭା ଆସନ ।