କଟକ ଡିଜିଏଫଟି ଶାଖା ସ୍ଥାନାନ୍ତରଣ ପ୍ରସଙ୍ଗ: କେନ୍ଦ୍ର ବାଣିଜ୍ୟ-ଶିଳ୍ପମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର, ବ୍ୟକ୍ତିଗତ ହସ୍ତକ୍ଷେପ କରି ନିଷ୍ପତିର ପୁର୍ନବିଚାର ପାଇଁ କଲେ ଅନୁରୋଧ ।

178

କନକ ବ୍ୟୁରୋ: କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । କଟକ ସ୍ଥିତ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ବା (ଡିଜିଏଫଟି)ର ଶାଖା କାର୍ଯ୍ୟାଳୟକୁ ବନ୍ଦ କରି ଏହାକୁ କଲିକତା ସହ ମିଶାଇବା ନିଷ୍ପତିର ପର୍ନବିଚାର କରିବା ପାଇଁ ଚିଠି ଯୋଗେ ପୀୟୂଷଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।

ଚିଠିରେ ଉଲ୍ଲେଖ କରି ଧର୍ମେନ୍ଦ୍ର କହିଛନ୍ତି କି, କେନ୍ଦ୍ର ସରକାରଙ୍କର କଟକ ସ୍ଥିତ ଡିଜିଏଫଟି ଆଂଚଳିକ କାର୍ଯ୍ୟାଳୟ ଓଡିଶାର ରପ୍ତାନୀ ଓ ଆମଦାନୀକାରୀ ମାନଙ୍କୁ ବିଭିନ୍ନ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦେଉଛି । ଅନ୍ତରାଷ୍ଟ୍ରୀୟ ବ୍ୟବସାୟର ବିକାଶ, ବିଶ୍ୱ ବାଣିଜ୍ୟ ଚୁକ୍ତି ଅନୁସାରେ କିମ୍ବା ଆଂଟି ଡମ୍ପି ପ୍ରସଙ୍ଗରେ ଏହି କାର୍ଯ୍ୟାଳୟ ଓଡିଶାର ରପ୍ତାନୀକାରୀ ମାନଙ୍କୁ ସହଯୋଗ କରୁଅଛି ।

ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କି, ଉପକୂଳବର୍ତୀ ରାଜ୍ୟ ଓଡିଶାରେ ପାରାଦୀପ ଭଳି ବନ୍ଦର ରହିଛି । ଦେଶରେ ଜାହାଜରେ ମାଲ୍ ରପ୍ତାନୀ କରିବା ଦିଗରେ ଏହି ବନ୍ଦର ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ଜାପାନକୁ ସାମୁ୍ଦ୍ରିକ ଖାଦ୍ୟ ରପ୍ତାନୀ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ବ୍ୟତିତ ରାଜ୍ୟର ଧାମରା ବନ୍ଦର ମଧ୍ୟ ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସାୟ ତଥା ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆନରେ ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଅଛି ।

କେବଳ ଏତିକି ନୁହେଁ ଭୁବନେଶ୍ୱର ବିମାନବନ୍ଦରକୁ ମୁଖ୍ୟ ଅନ୍ତର୍ଜାତୀୟ ବିମାନବନ୍ଦର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଓଡିଶା ସର୍ବାଧିକ ଖଣିଜ ଦ୍ରବ୍ୟ, ହସ୍ତତନ୍ତ, ବନଜାତ ଦ୍ରବ୍ୟ, ସାମୁଦ୍ରିକ ଖାଦ୍ୟ ଏବଂ କୃଷି ଜାତ ଦ୍ରବ୍ୟ ରପ୍ତାନୀ କରୁଅଛି । ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ କଟକ ସ୍ଥିତ ଆଂଚଳିକ କାର୍ଯ୍ୟାଳୟକୁ ବନ୍ଦ କରିବା ନିଷ୍ପତିର ପୁର୍ନବିଚାର କରି ଓଡିଶାର ବିକାଶ ତଥା ରାଜ୍ୟର ଉତ୍ପାଦନକାରୀ ଓ ରପ୍ତାନୀର ଲାଭକୁ ଦୃଷ୍ଟିରେ ରଖି ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ପୀୟୂଷ ଗୋଏଲଙ୍କୁ ଅନୁରୋଧ କରିଛନ୍ତି ।