କନକ ବ୍ୟୁରୋ : ଓଡିଶାରେ ପିଏମ୍ ସ୍ୱାମୀତ୍ୱ ଯୋଜନା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚିଠିରେ ଲେଖିଛନ୍ତି, ଭାରତରେ ଗାଁରେ ଥିବା ଜମିର ସର୍ଭେ ଏବଂ ଏହାର ରେକର୍ଡ ଅଫ୍ ରାଇଟ୍ ବହୁ ପୁରୁଣା । ଓଡିଶା ସମେତ ଅନେକ ଜନବସତି ଅଞ୍ଚଳରେ ସର୍ଭେ ହୋଇନାହିଁ । ଫଳରେ ରାଜ୍ୟର ଗ୍ରାମାଞ୍ଚଳ ମାନଙ୍କରେ ଥିବା ବାସଗୃହ ଏବଂ ଜମି ସମ୍ପତିର ସଠିକ୍ ସମ୍ଭାବନା ଉପଯୋଗ ହୋଇପାରୁନାହିଁ । ଏବଂ ପଡୋଶୀଙ୍କ ମଧ୍ୟରେ ବୁଝାମଣା ଅଭାବ ରହୁଛି । ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୪, ୨୦୨୦ରେ ପିଏମ୍ ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କରିଥିଲେ । ଯାହାର ଉଦେଶ୍ୟ ଥିଲା ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ତାଙ୍କର ଭୂସମ୍ପତ୍ତିର ରେକର୍ଡ ଅଫ୍ ରାଇଟ୍ ପ୍ରଦାନ କରିବା ।
ଚଳିତବର୍ଷ ଫେବୃୟାରୀରେ ଓଡ଼ିଶା ସରକାର ସର୍ଭେ ଅଫ୍ ଇଣ୍ଡିଆ ସହ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷର କରିଛନ୍ତି ଏବଂ ରାୟଗଡ଼ାରେ ଏହାକୁ ପାଇଲଟ୍ ଭିତିରେ କାର୍ଯ୍ୟ କରାଯାଉଛି । ମାତ୍ର ରାଜ୍ୟ ରାଜସ୍ୱ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହା ଉପରେ ଯେଉଁ ଗତିରେ କାର୍ଯ୍ୟ କରୁଛନ୍ତି, ଏହା ଦ୍ୱାରା ଏହି ଯୋଜନା ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା କଷ୍ଟକର । ତେଣୁ ଏହି ଯୋଜନା ସହ ଜଡ଼ିତ ଅନେକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ ଏବଂ ସର୍ଭେକୁ ସାହାଯ୍ୟ କରିବା ପାଇଁ ରାଜ୍ୟକୁ କ•ିନିୟସ ଅପରେଟିଂ ରେଫରେନ୍ସ୍ ଷ୍ଟେସନ(ସିଓଆରଏସ)କୁ ଯଥାଶୀଘ୍ର ଅନୁମତି ଦେବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଦର୍ଶାଇଛନ୍ତି ।
ଗାଁ ମାନଙ୍କରେ ଥିବା ଭୂସମ୍ପତିର ତଥ୍ୟକୁ ଅନିଶ୍ଚିତତା ଏବଂ ସନ୍ଦେହକୁ ଦୂର କରିବା ଏବଂ ଗ୍ରାମାଂଚଳର ସମ୍ଭାବନାକୁ ବାସ୍ତବର ରୂପ ଦେବା ଏବଂ ଜମିଜମା ସମ୍ପତିକୁ ବିକାଶ କାର୍ଯ୍ୟରେ ବ୍ୟବହାର କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ରହିଛି । ତେଣୁ ଯୋଜନାର ଲାଭକୁ ଦୃଷ୍ଟିରେ ରଖି ତଥା ଓଡିଆ ନାଗରିକଙ୍କ ସ୍ୱାର୍ଥ, ଦାରିଦ୍ର୍ୟକୁ ଲଢିବା, ଗରିବଙ୍କ ସମ୍ମାନକୁ ସୁନିଶ୍ଚିତ କରିବା, ଆତ୍ମନିର୍ଭର ଭାରତ ଏବଂ ଗ୍ରାମ୍ୟ ସ୍ୱରାଜକୁ ସାକାର କରିବା ପାଇଁ ପିଏମ ସ୍ୱାମୀତ୍ୱ ଯୋଜନା କାର୍ଯ୍ୟକୁ ଓଡ଼ିଶାରେ ତ୍ୱରାନ୍ୱିତ କରିବା ପାଇଁ ଅନୁମତି ଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।